ଚଣ୍ଡୀଗଡ଼: ହରିୟାଣାରେ ସେପ୍ଟେମ୍ବର ୧ ତାରିଖ ଠାରୁ ୪ର୍ଥ ଏବଂ ୫ମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବ। ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଖୋଲିବା ପାଇଁ ପୁଣି ଥରେ ଅନୁମତି ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ହରିୟାଣାରେ ୬୬୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ହରିୟାଣା ସରକାର ଗତ ଜୁଲାଇ ୧୨ ତାରିଖ ଠାରୁ ନବମ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଅନୁମତି ଦେଇସାରିଛନ୍ତି। ରାଜ୍ୟ ଶିକ୍ଷାମନ୍ତ୍ରୀ କମଲ ପାଳ କହିଛନ୍ତି ଯେ, ୪ର୍ଥ ଓ ୫ମ ଶ୍ରେଣୀ କ୍ଲାସ ଗୁଡ଼ିକ କୋଭିଡ ମାର୍ଗଦର୍ଶିକା ଅନୁସାରେ ଖୋଲିବ। ଏହା ବ୍ୟତୀତ ଅଭିଭାବକଙ୍କ ସହମତି ପରେ ଷ୍ଟୁଡେଣ୍ଟଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ। ହରିଆଣା ସରକାର ଗତ ଜୁଲାଇ ୨୩ ତାରିଖରେ ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ଅଫଲାଇନ୍ ପାଠପଢ଼ା ଆରମ୍ଭ କରିଥିଲେ। ଏହି ସମୟରେ ସରକାର କହିଥିଲେ ଯେ, ବିଦ୍ୟାଳୟରେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଛାତ୍ରଛାତ୍ରୀ, ଶକ୍ଷକ ଓ ଅଣଶିକ୍ଷକଙ୍କୁ ହାତରେ ଗ୍ଲୋଭ୍ସ, ମୁହଁରେ ମାସ୍କ ପିନ୍ଧିବାକୁ ପଡ଼ିବ। ସେହିପରି ପାଖରେ ହ୍ୟାଣ୍ଡ ସାନିଟାଇଜର ରଖିବା ସହିତ ସାମାଜିକ ଦୂରତାକୁ ପାଳନ କରିବାକୁ ପଡ଼ିବ ବୋଲି କହିଥିଲେ।