କଟକ : ଓଡିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ପ୍ରାର୍ଥୀଙ୍କ ବୟସ ସୀମାକୁ ପରିବର୍ତ୍ତନ କରାଯାଇଛି । ଏହି ପଦବୀ ଲାଗି ୩୮ ବର୍ଷ ବୟସର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଗୃହ ବିଭାଗ ଅଧିନରେ ଥିବା ୭୯୬ଟି ଏଏସଓ ପଦବୀ ପୂରଣ ଲାଗି ଓପିଏସସି ପକ୍ଷରୁ ଏଭଳି ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ଲାଗି ପୂର୍ବରୁ ବୟସ ସୀମା ୨୧ରୁ ୩୨ ବର୍ଷ ବୟସ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ରାଜ୍ୟ ସରକାର ଚାକିରି ଲାଗି ବୟସ ସୀମା ବୃଦ୍ଧି କରିବା ପରେ ଓପିଏସସି ପକ୍ଷରୁ ଏହି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ଆବଦେନ ନିମନ୍ତେ ବୟସସୀମା ପରିବର୍ତ୍ତନ କରାଯାଇଛି ।
ଅନ୍ୟ ସମସ୍ତ ବିଷୟ ଅପରିବର୍ତ୍ତିତ ରହିବ ବୋଲି ଓପିଏସସି ସଚିବ ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଗତ ଜାନୁଆରୀ ୧ ତାରିଖରେ ଏଏସଓ ପଦବୀ ପୂରଣ ଲାଗି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ୨୦ ତାରିଖରୁ ଏହି ପଦବୀଗୁଡିକ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୩ଟି ଜୋନରେ ଉକ୍ତ ପରୀକ୍ଷା ହେବା ନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି । ମୋଟ ପଦବୀ ମଧ୍ୟରୁ ଏସଇବିସି ବର୍ଗ ନିମନ୍ତେ ୬୨ଟି ପଦବୀ ସଂରକ୍ଷିତ ରହିଥିବାବେଳେ ଅନସୂଚିତ ଜାତି ବର୍ଗରେ ୧୦୯ଟି ପଦବୀ ସଂରକ୍ଷିତ ରହିଛି । ସେହିଭଳି ୧୭୮ଟି ସିଟ ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ସଂରକ୍ଷିତ ଥିବାବେଳେ ୪୪୭ଟି ପଦବୀ ଅସଂରକ୍ଷିତ ଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ୨୬୫ଟି ପଦବୀ ମହିଳାମାନଙ୍କ ଲାଗି ସଂରକ୍ଷିତ ରହିଛି । ଲିଖିତ ଏବଂ କମ୍ପ୍ୟୁଟରରେ ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ବୋଲି ସୂଚନା ଦିଆଯାଇଛି ।