ଭୁବନେଶ୍ୱର: ରାଜ୍ୟରେ ସହରୀକରଣ ଓ ସମସ୍ୟାମାନ ବୃଦ୍ଧି ପାଉଥିବାବେଳେ ପ୍ରଭାବୀ ତଦାରଖ ବ୍ୟବସ୍ଥାର ଅଭାବ ଯୋଗୁ ପୌରସଂସ୍ଥା ଗୁଡ଼ିକର ସଠିକ ପରିଚାଳନା କରିବା କଷ୍ଟକର ହୋଇପଡ଼ିଛି । ତେଣୁ ତୁରନ୍ତ ଓ ମଧ୍ୟବର୍ତ୍ତୀ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ସମସ୍ତ ଜିଲ୍ଲା ସହରାଞ୍ଚଳ ବିକାଶ ଏଜେନ୍ସି(ଡିୟୁଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ, ଓଏଫଏସ, ଓପିଏସ, ଓଆରଏସ, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ)ର ଅବସରପ୍ରାପ୍ତ ଅଫିସରମାନଙ୍କୁ ଏଥିରେ ନିଯୁକ୍ତି ଦିଆଯିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏନେଇ ଏଭଳି ଏକ ସଂକଳ୍ପ ଜାରି କରାଯାଇଛି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଏହି ଅଫିସରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଓ ସୁଦୃଢ଼ ପିଏମୟୁ(ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ) ଏବଂ ଅନ୍ୟାନ୍ୟ ସହାୟତା ଦେଇ ପୌରସଂସ୍ଥାଗୁଡ଼ିକ କାର୍ଯ୍ୟକୁ ସୁଚାରୂ ରୂପେ କରାଯିବ । ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସୀ(ଏସୟୁଡିଏ) ଦ୍ୱାରା ଯେଉଁଠି ଖାଲି ଥିବା ସେଠାରେ ଏହି ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପଦବୀ ପୂରଣ କରାଯିବ । ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ଚୁକ୍ତିଭିତ୍ତିକ ରହିବ ଓ ତଥା ମାସିକ ୭୫ହଜାର ଟଙ୍କା ପାରିଶ୍ରମିକ ମିଳିବ । ଏହି ଅର୍ଥକୁ ଏସୟୁଡିଏରେ ଉପଲବ୍ଧ ଥିବା ଦକ୍ଷତା ବିକାଶ ପାଣ୍ଠିରୁ ଭରଣା କରାଯିବ । ଏସୟୁଡିଏ ପକ୍ଷରୁ ଏଥିପାଇଁ ଆବଶ୍ୟକ ଟର୍ମ ଆଣ୍ଡ ରେଫରେନ୍ସ ପ୍ରସ୍ତୁତ ହେବ ଓ ବିଜ୍ଞାପନ ମାଧ୍ୟମରେ ଏହି ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପଦବୀ ପୂରଣ କରାଯିବ ବୋଲି ଶ୍ରୀ ମାଥିଭାଥାନାନ୍ କହିଛନ୍ତି ।