ବ୍ରହ୍ମପୁର: ସ୍ୱାମୀର ଅପକର୍ମ ପାଇଁ ପ୍ରାୟତଃ ସ୍ତ୍ରୀଙ୍କ ସହିତ କଳହ ଲାଗୁଥିଲା । ବିନା କାରଣରେ ଘରେ ରହୁଥିବା ବାପା ମାଆ ଅପଦସ୍ତ ହେଉଥିଲେ ।
ମାନସିକ ସ୍ଥିତି ଅସହ୍ୟ ହେବାରୁ ଆତ୍ମହତ୍ୟାର ରାସ୍ତା ବାଛିନେଲେ ବାପା-ମାଆ! ଆଉ ସେଇଥିଲେ ଚାଲିଗଲା ମାଆଙ୍କ ଜୀବନ । ବନ୍ଧୁବାନ୍ଧବ ଓ ସାହିପଡ଼ିଶା ଗାଁ ଶ୍ମଶାନରେ ମୃତଦେହ ସଂସ୍କାର କରୁଥିବାବେଳେ ବ୍ରହ୍ମପୁର ସଦର ଥାନା ପୁଲିସ ପହଞ୍ଚିଥିଲା । ଆଉ ଜଳୁଥିବା ଜୁଇରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲାବେଳେ ମେଡିକାଲ୍ରେ ଜୀବନ ସଂଘର୍ଷ କରୁଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ବ୍ରହ୍ମପୁର ସଦର ଥାନା ଗୌତମୀ ଗାଁର ଏସ୍. ମୁକୁନ୍ଦ ଦୋରାଙ୍କ ପୁଅ ଏସ୍. ଲୁଲୁ କୁମାର ଦୋରା ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କଠାରୁ ଟଙ୍କା ନେଇଥିଲେ । ହେଲେ ଚାକିରି ଦେଇନଥିଲେ । ଏପରିକି ନେଇଥିବା ଟଙ୍କା ଫେରାଉନଥିଲେ । ଯେଉଁଥିପାଇଁ ଚାକିରି ଆଶାୟୀମାନେ ବାରମ୍ୱାର ଏସ୍. ଲୁଲୁ କୁମାରଙ୍କ ଘରକୁ ଆସୁଥିଲେ । ନେଇଥିବା ଟଙ୍କା ମାଗୁଥିଲେ । ହେଲେ ଏସ୍. ଲୁଲୁ କୁମାର ଘରେ ରହୁନଥିବାରୁ ଆଶାୟୀମାନେ ଖାଲି ହାତରେ ଫେରି ଯାଉଥିଲେ । ପୁଅର ଏପରି ଅପକର୍ମ ପାଇଁ ବିନା କାରଣରେ ଘରେ ରହୁଥିବା ଏସ୍. ଲୁଲୁକୁମାରଙ୍କ ବାପା ଏସ୍.ମୁକୁନ୍ଦ ଓ ମାଆ ଏସ୍.ଦମୟନ୍ତୀ ଅପଦସ୍ତ ହେଉଥିଲେ । ଏହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା । ଅଭିଯୋଗ ଅନୁସାରେ ଆଜି ସକାଳେ ସ୍ୱାମୀ-ସ୍ତ୍ର ଚରମ ନିଷ୍ପତ୍ତି ନେଇଥିଲେ । ଉଭୟ ମିଳିମିଶି ବିଷପିଇ ଦେଇଥିଲେ । ବନ୍ଧୁବାନ୍ଧବ ଓ ସାହିପଡ଼ିଶା ଏ ସମ୍ପର୍କରେ ଖବର ପାଇ ଏସ୍.ମୁକୁନ୍ଦଙ୍କ ଘରେ ପହଞ୍ଚିଥିଲେ । ସେତେବେଳକୁ ମୁକୁନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ତାଙ୍କ ପତ୍ନୀ ଦୟମନ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ମୁକୁନ୍ଦଙ୍କୁ ଉଦ୍ଧାର କରି ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି । ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ହେଲେ ପୁଅ ଏସ୍ ଲୁଲୁ କୁମାରଙ୍କ ପତ୍ତା ମିଳୁନି ।