ଭୁବନେଶ୍ବର : ଚଳିତ ବିଧାନସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳର ପ୍ରଦର୍ଶନ ବେଶ୍ ଭଲ ରହିଛି। କଂଗ୍ରେସ ୧୪ଟି ବିଧାନସଭା ଆସନରେ ଆଗୁଆ ରହିଛି। ଗତ ବିଧାନସଭା ନିର୍ବାଚନରେ ଦଳ ୯ ଆସନରେ ବିଜୟୀ ହୋଇଥିଲା। ତେବେ ଚଳିତ ଥର ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିଛି। ମାଲକାନଗିରିର ଚିତ୍ରକୋଣ୍ଡା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ବିଜୟୀ ହୋଇଛନ୍ତି । ୭ ହଜାରରୁ ଅଧିକ ଭୋଟରେ ବିଜୟୀ ସୂଚନା । ବିଜେଡିରୁ ଲକ୍ଷ୍ମୀପ୍ରିୟା ନାୟକ ଏବଂ ବିଜେପିରୁ ଡମ୍ବରୁ ସୀସା ଟିକେଟ ପାଇଥିବା ବେଳେ କଂଗ୍ରେସରୁ ମଙ୍ଗୁ ଖିଲ ପ୍ରାର୍ଥୀ ହୋଇଥିଲେ ।
ଭୋଟ ଗଣତି ଜାରି ରହିଥିବା ବେଳେ ବଲାଙ୍ଗିର ବିଧାନସଭା ଆସନରେ କଂଗ୍ରେସର ସମରେନ୍ଦ୍ର ମିଶ୍ର ଆଗୁଆ ଅଛନ୍ତି। ଭୋଗରାଇ ବିଧାନସଭା ଆସନରେ କଂଗ୍ରେସର ସତ୍ୟଶିବ ଦାସ ଆଗୁଆ ରହିଥିବା ବେଳେ ବାସୁଦେବପୁର ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଆଗୁଆ ଅଛନ୍ତି।
ସେହିପରି କୋରାପୁଟ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଳଦୀପ ଆଗୁଆ ଅଛନ୍ତି। ଭବାନୀପାଟଣାରେ କଂଗ୍ରେସ ନେତା ସାଗର ଦାସ ଆଗୁଆ ରହିଛନ୍ତି। ଜୟପୁର ବିଧାନସଭା ଆସନରେ ତାରା ବାହିନୀପତି ଆଗରେ ଅଛନ୍ତି।
ସୂଚନା ଅନୁସାରେ, ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିଲା ।