22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ

ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ

ନୂଆଦିଲ୍ଲୀ : ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ବୁଧବାର ବିରୋଧୀ ମେଣ୍ଟ ଇଣ୍ଡିଆ (ଇଣ୍ଡିଆନ ନ୍ୟାସନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍ ଆଲାଏନ୍ସ) ତରଫରୁ ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ସକାଳ ୯ଟା ୨୦ରେ ଲୋକସଭା ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଏହି ପ୍ରସ୍ତାବ ଦାଖଲ କରିଛନ୍ତି । ନିୟମ ଅନୁଯାୟୀ ସକାଳ ୧୦ଟା ପୂର୍ବରୁ ଯଦି ଅନାସ୍ଥା ପ୍ରସ୍ତାବ ବାଚସ୍ପତିଙ୍କ ହସ୍ତଗତ ହୋଇଥାଏ, ତେବେ ଉକ୍ତ ଦିନ ହିଁ ଗୃହରେ ଏ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ । ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଅତିକମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଜରୁରୀ । ଏହା ନିଶ୍ଚିତ କରିବା ପାଇଁ ବାଚସ୍ପତି ଲୋକସଭାରେ ମୁଣ୍ଡଗଣତି କରିଥିଲେ ।

କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ସୋନିଆ ଗାନ୍ଧୀ, ନ୍ୟାସନାଲ କନ୍‌ଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା, ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ ଓ ଡିଏମ୍‌କେର ଟି.ଆର.ବାଲୁ ପ୍ରମୁଖ ଛିଡା ହୋଇ ଏହି ଗଣତିରେ ନିଜକୁ ସାମିଲ କରିଥିଲେ । ଅପରପକ୍ଷରେ ଗୋଗୋଇଙ୍କ ପରେ ବିଆର୍‌ଏସ୍ (ଭାରତ ରାଷ୍ଟ୍ର ସମିତି) ସାଂସଦ ନାଗେଶ୍ୱର ରାଓ ମଧ୍ୟ ଅନୁରୂପ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ତେବେ ନାଗେଶ୍ୱରଙ୍କ ପ୍ରସ୍ତାବକୁ କେବଳ ୯ ଜଣ ସାଂସଦ ସମର୍ଥନ କରିଥିବାରୁ ଏହା ନାକଚ ହୋଇଯାଇଛି । ବର୍ତ୍ତମାନ ଲୋକସଭାର ମୋଟ ୫୪୩ ସାଂସଦଙ୍କ ମଧ୍ୟରୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ୩୩୧ ସାଂସଦ ରହିଛନ୍ତି । ଅପରପକ୍ଷରେ ବିରୋଧୀ ‘ଇଣ୍ଡିଆ’ ଗୋଷ୍ଠୀର ୧୪୪ ସାଂସଦ ଅଛନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଗଲେ, ଏହା ଏନ୍‌ଡିଏ ସପକ୍ଷରେ ଯିବା ନିଶ୍ଚିତ ଜଣାପଡୁଛି । ଏପରିକି ଇଣ୍ଡିଆ ଗୋଷ୍ଠୀରେ ସାମିଲ ହୋଇନଥିବା ଭାରତ ରାଷ୍ଟ୍ର ସମିତି, ୱାଇଏସଆର କଂଗ୍ରେସ ଏବଂ ବିଜେଡି ସାଂସଦଙ୍କ ସଂଖ୍ୟା ୭୦ ରହିଛି ।

କୌଣସି ପରିସ୍ଥିତିରେ ଏମାନେ ମିଳିତଭାବେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କଲେ ସୁଦ୍ଧା ମୋଦୀ ସରକାରଙ୍କ ପତନ ଘଟିବ ନାହିଁ ବୋଲି ଜଣାପଡିଛି । ବିରୋଧୀ ଦଳଗୁଡିକ ପରାଜୟ ସୁନିଶ୍ଚିତ ଜାଣି ସୁଦ୍ଧା ଏଭଳି ପ୍ରସ୍ତାବ ଆଗତ କରିଛନ୍ତି । ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ବିବୃତି ରଖିବାକୁ ବିରୋଧୀ ଦାବି କରିଆସୁଛନ୍ତି । ଏପର୍ଯ୍ୟନ୍ତ ମୋଦୀ ନିଜର ବକ୍ତବ୍ୟ ରଖିନଥିବାରୁ ବିରୋଧୀ ସାଂସଦମାନେ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେଲେ ମୋଦୀ ଗୃହରେ ମଣିପୁର ପ୍ରସଙ୍ଗ ନେଇ ନିଜର ବକ୍ତବ୍ୟ ରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking