ଭୁବନେଶ୍ୱର: କ୍ରୀଡ଼ା ପ୍ରତିଭାର ବିକାଶ ଲକ୍ଷ୍ୟରେ ଅଲମ୍ପିକ୍ ମୂଲ୍ୟବୋଧ ଆଧାରିତ ଶିକ୍ଷାଦାନ କାର୍ଯ୍ୟକ୍ରମ (ଓଭିଇପି) ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ଅବାଦନ ରହିଛି । ଏପରି ଏକ ଅନନ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଅଲମ୍ପିକ୍ ଫାଉଣ୍ଡେସନ୍ ଫର କଲ୍ଚର୍ ଆଣ୍ଡ ହେରିଟେଜ୍ (ଓଏଫ୍ସିଏଚ୍)ର ନିର୍ଦ୍ଦେଶକ ଆଞ୍ଜେଲିତା ଟେଓ । କ୍ରୀଡ଼ାର ପ୍ରଚାର ପ୍ରସାର ସହିତ ଅଲମ୍ପିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଲାଗି ଓଡ଼ିଶା ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ।
ଓଭିଇପି କାର୍ଯ୍ୟକାରୀତା ସମୀକ୍ଷା କରିବା ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଓଏଫ୍ସିଏଚ୍ର ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମର ସଫଳତା ଲାଗି ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଓଏଫ୍ସିଏଚ୍ର ପ୍ରତିନିଧିଙ୍କୁ ଜଣାଇଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (ଆଇଓସି)ର ଅଲମ୍ପିକ୍ ଫରେଷ୍ଟ ନେଟୱାର୍କ କାର୍ଯ୍ୟକ୍ରମ ଅଧୀନେର ଚଳିତ ବର୍ଷ ୧୦ ଲକ୍ଷ ବୃକ୍ଷ ରୋପଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତି ପାଇଁ ସେମାନେ ସାଧୁବାଦ ଜ୍ଞାପନ କରିଥିଲେ । ଆସନ୍ତା ୩ ଓ ୪ ତାରିଖରେ ଏହି ପ୍ରତିନିଧି ଦଳ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟ ପରିଦଶର୍ନ କରି କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡିଛି । ଅତିଥିମାନଙ୍କୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଅଲମ୍ପିକ ମୂଲ୍ୟ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ପ୍ରଚଳନ କରିଥିବାରୁ ଆଇଓସିକୁ ଶୁଭେଚ୍ଛା ଜଣାଇଥିଲେ । ଏହା ପିଲାମାନଙ୍କ ମଧ୍ୟରେ ବନ୍ଧୁତ୍ୱ, ଉତ୍କର୍ଷ ଏବଂ ସମ୍ମାନବୋଧ ସୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଓଭିଇପି କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।
୨୦୨୨ ମେ’ ମାସରେ ମୁଖ୍ୟମନ୍ତ୍ରୀ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟର ୩୨,୦୦୦ ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଆଗାମୀ ଦିନରେ ରାଜ୍ୟର ୨୫୦ଟି ବିଦ୍ୟାଳୟର ୧୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅଭିନବ ବିନ୍ଦ୍ରା ଫାେଉଣ୍ଡସନ୍ ଟ୍ରଷ୍ଟ ଆନୁକୂଲ୍ୟରେ ଓଭିଇପି କାର୍ଯ୍ୟକାରୀ କରାଯାଉଛି । ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସରକାର ଉଦ୍ୟମ କରୁଥିବାରୁ ଓଏଫ୍ସିଏଚ୍ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ସେହିପରି ବର୍ଷକ ମଧ୍ୟରେ ୧୦ ଲକ୍ଷ ବୃକ୍ଷ ରୋପଣ ପାଇଁ ସହମତି ପ୍ରକାଶ କରିବା ପରିବେଶ ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତ୍ତାକୁ ସୁନିଶ୍ଚିତ କରୁଛି ବୋଲି ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।
୨୦୨୧ରେ ପାରିସ୍ ଠାରେ ସ୍ୱାକ୍ଷରିତ ଜଳବାୟୁ ପରିବର୍ତ୍ତନ ରାଜିନାମା ଅନୁସାରେ ଆଇଓସି ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହି ଅବସରରେ ଆଇଓସି ସଭାପତି ଥୋମାସ୍ ବେକ୍ଙ୍କୁ ଓଡ଼ିଶା ଆସିବା ପାଇଁ ଉକ୍ତ ପ୍ରତିନିଧି ଦଳଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଚଳିତ ବର୍ଷ ଅକ୍ଟୋବର ମାସରେ ମୁମ୍ବାଇ ଠାରେ ଆୟୋଜିତ ହେବାକୁ ଥିବା ଆଇଓସି ସେସନରେ ଯୋଗଦେବା ଲାଗି ଥୋମାସ୍ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଓଏଫ୍ସିଏଚ୍ ପ୍ରତିନିଧି ଦଳରେ ଏହାର ନିର୍ଦ୍ଦେଶକ ଆଞ୍ଜେଲିତା ଟେଓଙ୍କ ସମେତ ଆଇଓସି ଅନ୍ତର୍ଜାତୀୟ ସାଂସ୍କୃତିକ ବ୍ୟାପାର ମୁଖ୍ୟ ଫେଡେରିକ୍ ଜାମୋଲି, ଆଇଓସି ବରିଷ୍ଠ ଶିକ୍ଷା ପ୍ରବନ୍ଧକ ଜେନିଆ କୋର୍ଗୁଜାଭା, ଅଲମ୍ପିଆନ୍ ତଥା ଅଭିନବ ବିନ୍ଦ୍ରା ଫାେଉଣ୍ଡସନ୍ ଟ୍ରଷ୍ଟର ସଂସ୍ଥାପକ ଅଭିନବ ବିନ୍ଦ୍ରା ପ୍ରମୁଖ ଉପସ୍ଥିତ ଥିଲେ ।