16.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଦେଶରେ ମହିଳା ଭୋଟର୍ ୪୮%, ବିଧାୟକ ସଂଖ୍ୟା ୧୫%ରୁ କମ୍‌

ଦେଶରେ ମହିଳା ଭୋଟର୍ ୪୮%, ବିଧାୟକ ସଂଖ୍ୟା ୧୫%ରୁ କମ୍‌

ନୂଆଦିଲ୍ଲୀ : ଦେଶର ମୋଟ ଭୋଟର୍‌ଙ୍କ ମଧ୍ୟରେ ୪୮ ପ୍ରତିଶତ ଅଂଶୀଦାର ଥିବା ମହିଳାଙ୍କୁ ରାଜନୈତିକ ହକ୍ ଦେବାରେ ରାଜନୀତି ପ୍ରତିବନ୍ଧକ ସାଜିଛି । ହିମାଚଳ ପ୍ରଦେଶରେ ପ୍ରଥମ ଥର ପାଇଁ ମୋଟ ୬୮ ବିଧାୟକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଏହାର ବଡ଼ କାରଣ ହେଉଛି, ୪୧୨ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ୧୨ ମହିଳାଙ୍କୁ ସୁଯୋଗ ମିଳିଥିଲା । ସେହିପରି ଗୁଜରାଟରେ ମଧ୍ୟ ୫୬୦ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ୪୦ ମହିଳା ନିର୍ବାଚନ ମଇଦାନରେ ଥିଲେ । ଏହା ମଧ୍ୟରୁ ୧୫ ଜଣ ବିଜୟୀ ହୋଇଛନ୍ତି । ଅର୍ଥାତ୍ ନିର୍ବାଚନ ରଣରେ ମହିଳାଙ୍କ ସଫଳତା ହାର ପୁରୁଷ ତୁଳନାରେ ବହୁ ଉନ୍ନତ । ଏହା ସତ୍ତ୍ୱେ ଛତିଶଗଡ଼କୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟରେ ମହିଳା ବିଧାୟକଙ୍କ ସଂଖ୍ୟା ୧୪ ପ୍ରତିଶତ ବି ନୁହେଁ । ଦେଶରେ ଏପରି ଆଠଟି ରାଜ୍ୟ ରହିଛି, ଯେଉଁଠି ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟର୍ ଅଛନ୍ତି । ତଥାପି ସେଠାକାର ମୋଟ ବିଧାୟକଙ୍କ ମଧ୍ୟରେ ବହୁକଷ୍ଟରେ ୫ରୁ ୮ ପ୍ରତିଶତ ମହିଳା ଅଛିନ୍ତ । ମିଜୋରାମରେ ୫୧ ପ୍ରତିଶତ ମହିଳା ଭୋଟର୍ ଥାଇ ମଧ୍ୟ ଜଣେ ବି ମହିଳା ବିଧାୟକ ନାହାନ୍ତି ।

ନାଗାଲାଣ୍ଡ ବିଧାନସଭାରେ ମଧ୍ୟ କେିଣସି ମହିଳା ପ୍ରତିନିଧି ନାହାନ୍ତି । ଲୋକସଭାରେ ୧୪.୯୪% ଏବଂ ରାଜ୍ୟସଭାରେ ୧୪.୦୫% ହିଁ ମହିଳା ସାଂସଦ ଅଛନ୍ତି । ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ୍ ତଥ୍ୟ ଅନୁସାରେ ସାରା ବିଶ୍ୱର ସଂସଦରେ ମହିଳାଙ୍କ ଭାଗୀଦାରୀ ହାରାହାରି ୧୮ ପ୍ରତିଶତ । ପାକିସ୍ତାନରେ ଏହା ୨୦% ଏବଂ ବାଂଲାଦେଶରେ ୨୧% । ଅର୍ଥାତ୍ ଭାରତ ଏହି ମାମଲାରେ ବିଶ୍ୱର ହାରାହାରି ଠାରୁ ୩% ଏବଂ ପଡ଼ୋଶୀ ଦେଶଠାରୁ ୬-୭% ପଛରେ ରହିଛି । ସିଏସ୍‌ସିଏସ୍‌ର ପ୍ରଫେସର ତଥା ରାଜନୈତିକ ବିଶ୍ଳେଷକ ସଞ୍ଜୟ କୁମାର କହିଛନ୍ତି, ଯଦି କେଉଁଠି ମହିଳା ଭୋଟର୍ ଅଧିକ ତେବେ ସେଠାରେ ମହିଳା ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ରହିବ ଏହା ଜରୁରୀ ନୁହେଁ । କାରଣ ଦେଶରେ ଭୋଟର୍‌ଙ୍କ ଏକ ବଡ଼ ଭାଗ ପ୍ରାର୍ଥୀ ଅପେକ୍ଷା ପାର୍ଟି ଦେଖି ଭୋଟ୍ ଦେଇଥାନ୍ତି । ଅନ୍ୟପକ୍ଷରେ ମହିଳାଙ୍କ ବିଜୟ ସମ୍ଭାବନା କମ୍ ଥିବାରୁ ପାର୍ଟିଗୁଡ଼ିକ ମଧ୍ୟ ସେମାନଙ୍କୁ ଟିକେଟ୍ ଦେଇନଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking