କଟକ: ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ହାଇକୋର୍ଟରେ ଅନୁମୋଦିତ ସଂଖ୍ୟା ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୩୩ ଜଣ ବିଚାରପତି ନିଯୁକ୍ତି ହେବେ । ପୂର୍ବରୁ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ଏବେ ଆଉ ୬ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିକଟରୁ ରାଜ୍ୟ ଆଇନ ବିଭାଗ ସହିତ ହାଇକୋର୍ଟକୁ ପତ୍ର ଆସିଛି । ହାଇକୋର୍ଟରେ ରହିଥିବା ବିଚାରପତିଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି କରାଯିବାକୁ ମୁଖ୍ୟବିଚାପତି ଏସ୍ ମୁରଲୀଧର ଜାନୁଆରୀ ମାସରେ ସୁପ୍ରିମ୍ କୋର୍ଟ ଏବଂ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ସୁପାରିସ କରିଥିଲେ ।
ଫଳରେ ଆଉ ୬ଜଣ ବିଚାରପତିଙ୍କ ପଦକୁ ସରକାର ଅନୁମୋଦନ କରିଛନ୍ତି । ୨୦୧୪ ପୂର୍ବରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅନୁମୋଦିତ ବିଚାରପତିଙ୍କ ପଦ ୨୨ ଥିଲା ଓ ତାହାପରେ ଏହା ୨୭କୁ ବୃଦ୍ଧି କରାଯାଇଥିଲା । ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ୧୮ ଜଣ ବିଚାରପତି ରହିଛନ୍ତି । ଆଉ ୪ଜଣଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି କରାଯିବା ନେଇ ସୁପ୍ରିମ୍କୋର୍ଟ କଲେଜିୟମ ସରକାରଙ୍କୁ ଇତି ମଧ୍ୟରେ ସୁପାରିସ କରିଛନ୍ତି । ଏହି ଚାରିଜଣ ନିଯୁକ୍ତ ହେଲେ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇବ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ପୂର୍ବ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଜଣ ରହିଥିଲା ବେଳେ ଏହି ସଂଖ୍ୟକ ବିଚାରପତି ଏଯାବତ ନିଯୁକ୍ତ ହୋଇପାରିନାହାନ୍ତି ।