ନୂଆଦିଲ୍ଲୀ : ପ୍ରଥମ ଦିନର ବିଫଳତା ଧାରାକୁ ପଛରେ ପକାଇ ନିବେଶକଙ୍କୁ ଲାଭବାନ କରିଛି ଭାରତୀୟ ପୁଞ୍ଜିବଜାର । ସେନ୍ସେକ୍ସ ୭୭୬ ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟି ୨୪୬ ପଏଣ୍ଟ ଉପରକୁ ଉଠି ୧୭ ହଜାର ପଏଣ୍ଟର ମାଇଲଖୁଣ୍ଟକୁ ଆଉଥରେ ଛୁଇଁଛି । ଘରୋଇ ବଜାରରେ ଅହେତୁକ ମୂଲ୍ୟ ବୃଦ୍ଧି ସହିତ ରୁଷ୍-ୟୁକ୍ରେନ୍ ଯୁଦ୍ଧ କାରଣରୁ ପୁଞ୍ଜିବଜାର ତଳୁଆ ରହିବା ସହିତ ବିଗତ ସପ୍ତାହ ଧରି ତଳୁଆ ରହିଥିଲା ଭାରତୀୟ ଶେୟାର ବଜାର ।
୩୦ ଶେୟାର ବିଏସ୍ଇ ସେନସେକ୍ସ ୭୭୬.୭୨ ପଏଣ୍ଟ ଉପରକୁ ଉଠି ୫୭୩୫୬.୬୧ ପଏଣ୍ଟରେ ପହଞ୍ଚିଛି । ଅନ୍ୟ ପକ୍ଷରେ ନିଫ୍ଟି ୨୪୬.୮୫ ପଏଣ୍ଟ ଉପରକୁ ଉଠି ୧୭୨୦୦.୮୦ ପଏଣ୍ଟରେ ରହିଛି । ସୋମବାର ୧୭ ହଜାର ପଏଣ୍ଟ ତଳକୁ ଖସିଥିବା ବେଳେ ପୁଣି ଉପରକୁ ଉଠିଛି ନିଫ୍ଟି । ନିଫ୍ଟି ମିଡ୍ କ୍ୟାପ୍-୧୦୦ ଶେୟାର ଗୁଡିକ ୦.୭୫ ପ୍ରତିଶତ ଉପରକୁ ଉଠିଥିବ ବେଳେ ସ୍ମଲ୍ କ୍ୟାପ୍ ଶେୟାର ୦.୧୮ ପ୍ରତିଶତ ଉପରକୁ ଉଠିଛି ।
ଆଇଟି, ଅଟୋ, ଅଏଲ୍ ଆଣ୍ଡ ଗ୍ୟାସରେ ପଞ୍ଜୀକୃତ ୧୫ଟି ଲେଖାଏଁ କମ୍ପାନୀ ମଧ୍ୟରୁ ୧୦ଟି ଶେୟାର ଭଲ ପ୍ରଦର୍ଶନ କରିଥିଲେ । ଆଇଟି, ଅଟୋ, ଅଏଲ୍ ଆଣ୍ଡ ଗ୍ୟାସରେ ଶେୟାର ଯଥାକ୍ରମେ ୨.୨୦, ୧.୯୪ ଓ ୧.୧୬ ପ୍ରତିଶତ ବଢିଥିଲା । ନିଫ୍ଟିରେ ବିପିସିଏଲ୍ର ଅଂଶଧନ ମୂଲ୍ୟ ସର୍ବାଧିକ ୪.୨୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଟାଟା ମୋଟର୍ସ, ଶ୍ରୀ ସିମେଣ୍ଟ ପ୍ରମୁଖ ନିବେଶକଙ୍କୁ ଲାଭ ଦେଇଛନ୍ତି । ବିଏସ୍ଇ ଲିଷ୍ଟେଡ୍ କମ୍ପାନୀ ଗୁଡିକ ମଧ୍ୟରେ ୧୭୬୪ଟି କମ୍ପାନୀର ଅଂଶଧନ ମୂଲ୍ୟ ବଢିଥିବା ବେଳେ ୧୬୨୯ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ପାଇଥିଲା ।