ନୂଆଦିଲ୍ଲୀ : ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ସୋମବାର ନୂତନ ନିର୍ବାଚନ କମିଶନରଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୫ ବ୍ୟାଚ୍ ପଞ୍ଜାବ କ୍ୟାଡର ଆଇଏଏସ୍ ଶ୍ରୀ ଗୋଏଲ ଚଳିତମାସ ୧୮ରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିବାବେଳେ ୧୯ରେ ନିର୍ବାଚନ କମିଶନର ନିଯୁକ୍ତ ହୋଇଥିଲେ । ଶ୍ରୀ ଗୋଏଲ ଦାୟିତ୍ୱ ନେବାପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ସବୁ ପଦ ପୂରଣ ହୋଇଛି । ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଉଥିବାବେଳେ ଅନୁପ ଚନ୍ଦ୍ର ପାଣ୍ଡେ ଅନ୍ୟତମ କମିଶନରଭାବେ କାର୍ଯ୍ୟରତ ଅଛନ୍ତି ।
ରାମ ରହିମଙ୍କ ସତ୍ସଙ୍ଗରେ ସ୍କୁଲ ଛାତ୍ରଛାତ୍ରୀ: ୟୁପି ସରକାରଙ୍କ ତଦନ୍ତ ନିର୍ଦ୍ଦେଶ
ଲକ୍ଷ୍ନୌ : ଦୁଷ୍କର୍ମ ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ସଂଗଠନ ମୁଖ୍ୟ ରାମ ରହିମଙ୍କ ଦ୍ୱାରା ଆୟୋଜିତ ଅନ୍ଲାଇନ ସତ୍ସଙ୍ଗ କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ସ୍କୁଲ ଛାତ୍ରଛାତ୍ରୀ ଯୋଗଦେଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପାରୋଲରେ ଆସିଥିବା ରାମ ରହିମଙ୍କ ଦ୍ୱାରା ନଭେମ୍ବର ୧୭ରେ ସାହାରନପୁର ଜିଲ୍ଲା ଅନ୍ତର୍ଗତ ବିଷ୍ଣୁ ବାଟିକା ଲନ୍ରେ ଆୟୋଜିତ ଏହି ସତ୍ସଙ୍ଗରେ ଶତାଧିକ ଭକ୍ତଙ୍କର ସମାବେଶ ଘଟିଥିଲା । ଏମାନଙ୍କ ମଧ୍ୟରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଏହି ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହା ଜଣାପଡିବାପରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କର୍ମୀମାନେ ଘଟଣାସ୍ଥଳକୁ ଯାଇ ହଙ୍ଗାମା କରିଥିଲେ । ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଉତ୍ତରପ୍ରଦେଶ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।