17.1 C
Bhubaneswar
Thursday, January 16, 2025
Homeଓଡିଶାମାଆକୁ ମିଳିଲାନି ଚାରିକାନ୍ଧ: ୧୮ ଘଣ୍ଟା ପଡିରହିଲା ଶବ

ମାଆକୁ ମିଳିଲାନି ଚାରିକାନ୍ଧ: ୧୮ ଘଣ୍ଟା ପଡିରହିଲା ଶବ

ବୌଦ୍ଧ: ବୌଦ୍ଧ ଜିଲା ବଲାଶିଙ୍ଗା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ଆଧୁନିକ ସମାଜରେ ସାଧାରଣ ମଣିଷଙ୍କ ମାନବିକତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ଜଣେ ନିରାଶ୍ରୟ ମାଆକୁ ମୃତ୍ୟୁ ପରେ ଜାତିଭାଇଙ୍କ ଚାରିକାନ୍ଧ ନମିଳିବା ଏବଂ ୧୮ ଘଣ୍ଟା ଧରି ଗ୍ରାମରେ ଶବ ପଡିରହିବା ଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ବୁଦ୍ଧଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି । ସୂଚନା ମୁତାବକ ବୌଦ୍ଧ ସହରଠାରୁ ମାତ୍ର ୪ କିଲୋମିଟର ଦୂର ଜାତୀୟ ରାଜପଥ କଡ ବଲାଶିଙ୍ଗା ଗ୍ରାମରେ ରହନ୍ତି ନିରାଶ୍ରୟା ବୃଦ୍ଧା ସୁଲଭ ପ୍ରଧାନ( ୭୨) ।

ସ୍ୱାମୀଙ୍କ ମୃତ୍ୟୁ ପରେ ଏକମାତ୍ର ଝିଅ ଜମ୍ବୁ ପ୍ରଧାନ ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରି ମାଆକୁ ଏକୁଟିଆ ଛାଡି ଚାଲିଯାଇଥିଲେ । ନିରାଶ୍ରୟା ମା’ କିଏ ଦେଲେ ଖାଆନ୍ତି ନହେଲେ ଭୋକ ଉପବାସରେ କୁଡିଆରେ ପଡି ରହିଥାନ୍ତି । ଜାତି ଭାଇଙ୍କ ବିରୋଧ ଯୋଗୁ ଝିଅ ଇଚ୍ଛା ଥିଲେ ମଧ୍ୟ ମାଆ ପାଖକୁ ଆସି କେବେ ସେବା ଯତ୍ନ କରିପାରନ୍ତିନାହିଁ । ଗତକାଲି(ଶନିବାର) ରାତିରେ ବୃଦ୍ଧା ସୁଲଭଙ୍କ ମୃତ୍ୟୁ ହୋଇଯାଇଥିଲା । ହେଲେ ପରିବାରର କୌଣସି ସଦସ୍ୟ ନଥିବାରୁ ବୃଦ୍ଧା ସୁଲଭଙ୍କ ଶବ ସେହିପରି ପଡିରହିଥିଲା । ପ୍ରାୟ ୧୮ ଘଣ୍ଟା ଶବ ପଡି ରହିବାପରେ ଏହି ସୂଚନା ପାଇ ଝିଅ ଜମ୍ବୁ ପହଞ୍ଚିଥିଲା ବଲାସିଙ୍ଗା ଗ୍ରାମରେ ।

ହେଲେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତିଭାଇ ମାଆ ସୁଲଭଙ୍କ ଶବକୁ ଛୁଇଁବାକୁ ଦେଇନଥିଲେ ଏକମାତ୍ର ଝିଅକୁ । ସତେ ଯେପରି ସଭ୍ୟ ସମାଜରେ କୁସଂସ୍କାରର ଅନ୍ଧପୁଟୁଳି ଭିତରେ ହଜିଯାଇଥିଲା ସମସ୍ତଙ୍କ ସାଧାରଣ ମାନବିକତା । ଝିଅ ଜମ୍ବୁ ନିରୁପାୟ ହୋଇ ବିକଳ ହୋଇ କାନ୍ଦିବା ସହିତ ଘର ଏରୁଣ୍ଡିରେ ଜଗି ରହିବା ସହିତ ମାଆର ଶବ ସତ୍କାର ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲା । ହେଲେ ତରଳି ନଥିଲା କାହାର ହୃଦୟ । ଶେଷରେ ଏହି ସୂଚନା ଯାଇ ପହଞ୍ଚିଥିଲା ଜିଲା ପ୍ରଶାସନ ନିକଟରେ । ଜିଲା ପ୍ରଶାସନର ସହଯୋଗକ୍ରମେ ଦୀର୍ଘ ୧୮ ଘଣ୍ଟା ପରେ ସୁଲଭଙ୍କ ଶବ ଉଠାଇବାକୁ ପହଞ୍ଚିଥିଲେ ଦେବଦୂତ ରୂପୀ ସ୍ୱେଚ୍ଛାସେବୀମାନେ । ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଛାସେବୀ ସମିତିର ୪ ଜଣ ସଦସ୍ୟ ଏବଂ ଯୁବ ରେଡକ୍ରସର ସଂପାଦକ ତଥା ଅଧ୍ୟାପକ ପ୍ରବୀର କୁମାର ଦାସ ପହଞ୍ଚି ସୁଲଭଙ୍କ ଶବକୁ ଉଠାଇ ମଶାଣୀକୁ ନେବା ସହିତ ବିଧି ମୁତାବକ ସତ୍କାର ବ୍ୟବସ୍ଥା କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking