ଭୁବନେଶ୍ୱର : ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ଏନେଇ ବୁଧବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଖାତା ଦେଖା ଶେଷ ହୋଇ ଟାବୁଲେସନ୍ ଆରମ୍ଭ ହୋଇସାରଛି ଏବଂ ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟର ପହଁଚିଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ, ତଥାପି ମେ’ମାସ ଶେଷ ସୁଦ୍ଧା ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା ରହିଛି ।
ସୂଚନାଯୋଗ୍ୟ, ଏପ୍ରିଲ୍ ୩ତାରିଖରୁ ଆରମ୍ଭ ହୋଇଥିଲା ଖାତା ଦେଖା । କଟକ ଜିଲ୍ଲାରେ ସର୍ବାଧିକ ୬ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ଶିକ୍ଷକ, ଶିକ୍ଷୟତ୍ରୀ ଗୋଟିଏ ଦିନରେ ସର୍ବାଧିକ ୩୦ରୁ ୩୫ଟି ଖାତା ଦେଖିପାରିବେ । ବାକି ୪ଟି ବିଷୟରେ ମୂଲ୍ୟାୟନକାରୀ ସର୍ବାଧିକ ୫୦ରୁ ୫୫ ଉତ୍ତର ଖାତା ଦେଖିପାରିବେ । ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ବାରଣ ରହିଛି । ସେହିପରି ମୂଲ୍ୟାୟନ କେନ୍ଦ୍ରରେ ବୋର୍ଡ ପକ୍ଷରୁ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଇଛି । ଖାତା ଦେଖା ପ୍ରକ୍ରିୟାରେ ବୋର୍ଡ ପକ୍ଷରୁ ୧୩ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେଥିମଧ୍ୟରୁ ପ୍ରାୟ ୧୨ ହଜାର ୪ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି । ସେହିପରି ମୂଲ୍ୟାୟନ ପ୍ରକ୍ରିୟାକୁ ଯାଞ୍ଚ କରିବା ପାଇଁ ୬ ଶହ ଜଣ ବୋର୍ଡ ଦ୍ୱାରା ନିୟୋଜିତ ହୋଇଛନ୍ତି ।