ଜୟପୁର: ରାଜସ୍ଥାନର ଭରତପୁର ଜିଲାର ବୟାନା ଥାନା ପୋଲିସ ଅଞ୍ଚଳର ଶେରଗଡ଼ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ପରିବାର ସଦସ୍ୟ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ରବିବାର ସକାଳେ ଗାଁ ଦେଇ ଯାଉଥିବା ଦିଲ୍ଲୀ-ମୁମ୍ବାଇ ରେଲ୍ୱେ ଟ୍ରାକ୍ରେ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସୂଚନା ପାଇବା ପରେ କୋଟୱାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ନେଇ ବୟାନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନର କରାଯାଇଛି ।
ମୃତ ଯୁବକଙ୍କ ପିତା ଯୁବତୀଙ୍କ ପରିବାର ନାମରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି । ଡାକ୍ତରଖାନାରେ ଉପସ୍ଥିତ ମୃତ ଯୁବକ ଜୀବନଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ଜୀବନ ସେହି ଗାଁର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ଶନିବାର ରାତିରେ ସେ ସାକ୍ଷାତ କରିବାକୁ ଯୁବତୀଙ୍କ ଘରକୁ ଯାଇଥିଲେ । ସେଠାରେ ଯୁବତୀଙ୍କ ପରିବାର ଉଭୟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ । ଏହା ପରେ ଯୁବତୀଙ୍କ ପରିବାର ସଦସ୍ୟ ଜୀବନଙ୍କୁ ଖୁବ୍ ପିଟିଥିଲେ । ଜୀବନଙ୍କ ପିତା ଗୋବିନ୍ଦ ଗୁରୁଜାର ଅଭିଯୋଗ କରିଛନ୍ତି ଯେ, ଏହା ପରେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ପୁଅକୁ ଦଉଡ଼ିରେ ବାନ୍ଧି ରେଳ ଟ୍ରାକ୍ରେ ଫିଙ୍ଗି ଦେଇଛନ୍ତି । ସେଠାରେ ଟ୍ରେନ ଧକ୍କା ହେବା ପରେ ତାଙ୍କର ମୃତ୍ୟୁ ଘଟିଛି । ଟାଉନ ଆଉଟପୋଷ୍ଟର ଦାୟିତ୍ୱରେ ଥିବା ଏଏସ୍ଆଇ ନିର୍ଭର ସିଂ ଗୁରୁଜାର କହିଛନ୍ତି, ମୃତ ଯୁବକଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ ଝିଅଘର ଲୋକେ ମାରିଦେଇଛନ୍ତି । ତେବେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ମାମଲାର ତଦନ୍ତ କରାଯିବ । ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।