ଯାଜପୁର: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ସ୍କୁଲରେ ଉଠବସ ହୋଇ ଚାଲିଗଲା ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜୀବନ । ଯାଜପୁରରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲରେ ଛାତ୍ରକୁ ଶିକ୍ଷକ ଉଠବସ କରେଇବା ସମୟରେ ଅଚେତ ହୋଇପଡିଲେ ଛାତ୍ର । ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ସୂଚନାଅନୁଯାୟୀ, ଯାଜପୁର ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁଅ ରୁଦ୍ର ନାରାୟଣ ସେଠୀ ଓରାଳି ସୂର୍ଯ୍ୟନାରାୟଣ ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ ।
ଗତ କାଲି ରୁଦ୍ର ନିୟମିତ ଭାବରେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ । ହେଲେ ଅପରାହ୍ନ ସମୟରେ ରୁଦ୍ର ପାଠ ନ ପଢି ତାର ଅନ୍ୟାନ୍ୟ ସାଙ୍ଗ ପିଲାଙ୍କ ସହିତ ସ୍କୁଲ ହତା ଭିତରେ ଦୌଡାଦୌଡି କରିବା ସହ ଖେଳୁଥିଲେ । ଏହି ଘଟଣା ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଦୃଷ୍ଟି ଗୋଚର ହେବାରୁ ସମ୍ପୃକ୍ତ ଶିକ୍ଷକ ଜଣକ ଖେଳୁଥିବା ପିଲାମାନଙ୍କୁ ପାଖକୁ ଡାକି ପାଠ ନପଢି ଖେଳିବାର କାରଣ ପଚାରିଥିଲେ । ପାଠ ସମ୍ୱନ୍ଧରେ ଗୋଟିଏ ପ୍ରଶ୍ନ ପଚାରିଥିଲେ । ହେଲେ ପିଲାମାନେ ସେହି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । ଯେଉଁଥିପାଇଁ ଦଣ୍ଡ ଦେବାକୁ ଯାଇ ସମ୍ପୃକ୍ତ ଶିକ୍ଷକ ଜଣକ ପିଲାମାନଙ୍କୁ ଉଠବସ ହେବା ପାଇଁ କହିଥିଲେ । ୪/୫ ଜଣ ପିଲା ଉଠବସ ହେଉଥିବା ସମୟରେ ମାତ୍ର ଦୁଇଥର ଉଠବସ ହୋଇ ରୁଦ୍ର ହଠାତ୍ ବେହୋସ ହୋଇ ତଳେ ପଡିଯାଇଥିଲେ ।
ଏନେଇ ସଙ୍ଗେ ସଙ୍ଗେ ଶିକ୍ଷକ ଜଣକ ରୁଦ୍ରର ପିତାଙ୍କ ନିକଟକୁ ଖବର ଦେଇଥିଲେ । ପରେ ରୁଦ୍ରଙ୍କ ପରିବାର ତାଙ୍କୁ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକଙ୍କ ମନ ନ ବୁଝିବାରୁ ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ବସଉଠ ପାଇଁ ଛାତ୍ରଙ୍କ ମୃତ୍ୟୁ ହୋଇଛି କିମ୍ବା ଅନ୍ୟ କେଉଁ କାରଣ ପାଇଁ ତାହା ଜଣାପଡିବ । ଅନ୍ୟପଟେ ପରିବାର ବର୍ଗଙ୍କ ପକ୍ଷରୁ ଏନେଇ କୌଣସି ଅଭିଯୋଗ ଥାନାରେ ଦିଆଯାଇନଥିବା ସୂଚନା ରହିଛି ।