କଟକ : ଚଳିତ ବର୍ଷ ବାଲିଯାତ୍ରା କୁ ଅଧିକ ଗୋଟିଏ କିମ୍ବା ଦୁଇଦିନ ବୃଦ୍ଧି କରାଇବା ପାଇଁ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି କଟକ ମେୟର ସୁବାସ ସିଂ। ଗତକାଲି ଏନେଇ ଭୁବନେଶ୍ୱର ଯାଇ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ଦିଆଯାଇଛି । ଆଜି ଏହା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ।
ସୂଚନାଥାଉକି, ବାଲିଯାତ୍ରା ଆଉ ଦୁଇଦିନ ବୃଦ୍ଧି କରିବାକୁ କଟକ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ବାଲିଯାତ୍ରା ସୂଚାରୁ ଢଙ୍ଗରେ ପରିଚାଳିତ ହେଉଛି । ବ୍ୟବସାୟୀଙ୍କ ବ୍ୟବସାୟ ଲାଗି ଭରପୂର ସୁଯୋଗ ମିଳୁଛି । ତେଣୁ ବାଲିଯାତ୍ରାକୁ ଅନ୍ତତଃପକ୍ଷେ ଦୁଇଦିନ ବୃଦ୍ଧି କରାଯାଇ ୬ ତାରିଖ ବୁଧବାର ଯାଏ ମେଳା ଆୟୋଜନ କରିବାକୁ ଅନୁମତି ଦିଆଯାଉ ବୋଲି ମେୟର ଶ୍ରୀ ସିଂହ ଅନୁରୋଧ କରିଛନ୍ତି ।
ରବିବାର ସହରର ସବୁ ରାସ୍ତାରେ ଚକ, ଅଖ ଜାମ୍ । ମେଳା ପଡ଼ିଆ ଜନସମୁଦ୍ର । ଭିଡ଼ ଭିତରେ ଯେତିକି ମେଳା ବୁଲିଲେ, ସେହି ତୁଳନାରେ ଅନେକ ଅଧାରାସ୍ତାରୁ ନିରାଶ ହେଇ ଫେରିଗଲେ । ସମ୍ପୂର୍ଣ୍ଣ କଟକ ସହରଟା ଟ୍ରାଫିକ୍ ଭିତରେ ଛନ୍ଦି ହୋଇପଡ଼ିଥିଲା । ମେଳା ପଡିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ପ୍ରାୟ ୫ କିଲୋମିଟର ପରିଧି ଭିତରେ ରହିଥିବା ଲୋକେ ଭିଡ଼ରେ ଫସିଗଲେ । ସ୍ଥିତି ଏମିତି ହେଲା ଯେ ପୁଲିସ ଓ ପ୍ରଶାସନ ଉଭୟେ ହାତ ଟେକିଦେଲେ ।