ଭୁବନେଶ୍ୱର: ବିଧାନସଭାରେ ଉଠିଛି ସୁଭଦ୍ରା ଯୋଜନା ପ୍ରସଙ୍ଗ । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଟଙ୍କା ପାଇସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି । ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ପ୍ରଶ୍ନ କରିଥିଲେ । କେଉଁ ଜିଲ୍ଲାରୁ କେତେ ସଂଖ୍ୟକ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି । ଆଉ କେତେ ଜଣ ସୁଭଦ୍ରା ଯୋଜନା ଟଙ୍କା ପାଇସାରିଛନ୍ତି । ଯାହାର ଉତ୍ତର ରଖିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୂଚନା ଦେଇ ପ୍ରଭାତୀ କହିଥିଲେ, ଡିସେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟର ୧,୦୫,୪୩,୨୩୮ ଜଣ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୮୦ ଲକ୍ଷ ୧ ହଜାର ୯୯୭ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି । ତେବେ ୨୭ ହଜାର ୭୭୪ ଜଣ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଗତ ତ୍ରୁଟି କାରଣରୁ ଏବଂ ୨ ଲକ୍ଷ ୨୦ ହଜାର ୨୫୯ ଜଣ ଅଯୋଗ୍ୟ ବିବେଚିତ ହେବା କାରଣରୁ ଟଙ୍କା ପାଇପାରିନାହାଁନ୍ତି ।