ନୂଆଦିଲ୍ଲୀ: ୟୁକ୍ରେନ୍ ରାଜଧାନୀ କିଏଭ୍ରେ ଭାରତୀୟ ଦୂତାବାସ ମେ ୧୭ ତାରିଖରୁ ପୁଣିଥରେ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଶୁକ୍ରବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଭାରତ ମାର୍ଚ୍ଚ ୧୩ ତାରିଖରୁ ନିଜ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡ୍ ରାଜଧାନୀ ୱାର୍ସୋ ସ୍ଥାନାନ୍ତରିତ କରିଦେଇଥିଲା । ଗତ ଅଢ଼େଇ ମାସରୁ ଅଧିକ ସମୟ ଧରି ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ଜାରି ରହିଛି । ଗତ କିଛିଦିନ ହେବ ରୁଷ୍ ସେନା ୟୁକ୍ରେନ୍ର ପୂର୍ବ ଭାଗରେ ନିଜର ଫୋକସ୍ ବଢ଼ାଇ ଦେଇଛି ।
ଏଥିଯୋଗୁଁ ଭାରତ କିଏଭ୍ରେ ନିଜର ଦୂତାବାସ ପୁଣିଥରେ ଖୋଲିବାକୁ ଯାଉଛି ବୋଲି ଏକ୍ସପର୍ଟ ମତ ଦେଇଛନ୍ତି । ୟୁକ୍ରେନ୍ସ୍ଥିତ ଭାରତୀୟ ଦୂତାବାସ ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଭାରତର ଏହି ମିଶନ୍ ‘ଅପରେସନ୍ ଗଙ୍ଗା’ ଅଧୀନରେ ହଜାର ହଜାର ନାଗରିକଙ୍କୁ ୟୁକ୍ରେନ୍ରୁ ସୁରକ୍ଷିତ ଉଦ୍ଧାର କରିଥିଲା ।
ଏହା ସହିତ ଭାରତ ମଧ୍ୟ ନେପାଳ ଓ ବାଂଲାଦେଶ ନାଗରିକଙ୍କ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଉଦ୍ଧାର କରିଥିଲା । ସୂଚନାଯୋଗ୍ୟ, ମେ ୬ ତାରିଖରେ ୟୁକ୍ରେନ୍ରେ ନବନିଯୁକ୍ତ ଭାରତୀୟ ରାଜଦୂତ ହର୍ଷ କୁମାର ଜୈନ ଆବଶ୍ୟକ ଔଷଧପତ୍ର ଏବଂ ଚିକିତ୍ସା ଉପକରଣ ସମେତ ୭,୭୨୫ କେଜି ମାନବୀୟ ସହାୟତା ୟୁକ୍ରେନ୍ର ଉପସ୍ୱାସ୍ଥ୍ୟ ମନ୍ତ୍ରୀ ଓଲେକ୍ସି ୟାରେମେନକୋଙ୍କୁ ପ୍ରଦାନ କରିଥିଲେ ।