20.1 C
Bhubaneswar
Thursday, January 16, 2025
Homeଓଡିଶା+୨ ପରୀକ୍ଷାରେ ସ୍ୱଚ୍ଛତାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ଗୁରୁତ୍ୱ : ପରୀକ୍ଷାକେନ୍ଦ୍ରକୁ ଇଲେକ୍ଟ୍ରୋନିକ୍ ସାମଗ୍ରୀ ମନା

+୨ ପରୀକ୍ଷାରେ ସ୍ୱଚ୍ଛତାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ଗୁରୁତ୍ୱ : ପରୀକ୍ଷାକେନ୍ଦ୍ରକୁ ଇଲେକ୍ଟ୍ରୋନିକ୍ ସାମଗ୍ରୀ ମନା

ଭୁବନେଶ୍ୱର: ଆସନ୍ତା ୨୮ରୁ ଆରମ୍ଭ ହେବ +୨ ପରୀକ୍ଷା । ଏନେଇ +୨ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର ସ୍ୱଚ୍ଛତା ଓ କପି ରୋକିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ୱନ୍ତ୍ରତ ପଦକ୍ଷେପ ନିଆଯାଇଛି । ସବୁ ପରୀକ୍ଷାକେନ୍ଦ୍ରରେ ସିସି ଟିଭି ବାଧ୍ୟତାମୂଳକ କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ନେବା ଉପରେ କଟକଣା ଲଗାଯାଇଛି । ପରୀକ୍ଷା ପରିଚାଳନା ଦାୟିତ୍ୱରେ ରହିଥିବା ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରର ଏକ ସ୍ୱତନ୍ତ୍ର ସ୍ଥାନରେ ମୋବାଇଲ୍ ଦାଖଲ କରିବେ । କେବଳ ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷାର୍ଥୀ କେନ୍ଦ୍ରକୁ ପ୍ରବେଶ କରିବେ ।

ଯଦି ପରୀକ୍ଷାର୍ଥୀ କିଛି ବହି, ପେପର ସାଙ୍ଗରେ ଆଣିଥାନ୍ତି ତାହାକୁ ହଲ୍ ବାହାରେ ରଖିବେ । କୌଣସି ଇଲେକ୍ଟ୍ରୋନିକ୍ ସାମଗ୍ରୀ ନେବାକୁ ଅନୁମତି ଦିଆଯିବ ନାହିଁ । ପରୀକ୍ଷାର ୧୫ ମିନିଟ୍ ଆଗରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରେ ପ୍ରବେଶ କରିବେ । ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ । ପ୍ରଥମ ଏକ ଘଣ୍ଟା ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତା ଦାଖଲ କରିପାରିବେ ନାହିଁ । ନିକଟ ସମ୍ପର୍କୀୟ ଯଥା ବାପା, ମା’, ଭାଇ, ଭଉଣୀ, ପତ୍ନୀ, ସ୍ୱାମୀ, ପୁଅ ଓ ଝିଅ ପରୀକ୍ଷା ଦେଉଥିଲେ ସମ୍ପୃକ୍ତ ବ୍ୟକ୍ତି ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ହୋଇପାରିବେ ନାହିଁ ।

ସୁପରିଟେଣ୍ଡେଣ୍ଟମାନେ ପ୍ରତିଦିନ ଅତିକମ୍‌ରେ ଦୁଇ ଥର ପରୀକ୍ଷା ହଲ୍‌କୁ ଗସ୍ତ କରି ଯାଞ୍ଚ କରିବେ । ଏଥର ମଧ୍ୟ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଉତ୍ତର ଖାତା ଦିଆଯିବ; ଯାହାକି ୨୮ ପୃଷ୍ଠା ବିଶିଷ୍ଟ ରହିବ । କୌଣସି ବି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହିଁ । ଉକ୍ତ ଖାତାର ୨୪ ଓ ୨୬ ନମ୍ବର ପୃଷ୍ଠାରେ ଗ୍ରାଫ୍ ପେପର୍ ରହିଛି । ୨୦୨୦ କିମ୍ବା ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ଉତ୍ତର ଖାତାଗୁଡ଼ିକୁ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥର ବି ୪ ସେଟ୍‌ର ପ୍ରଶ୍ନପତ୍ର ହେବ ଏବଂ ସେଟ୍ ଅନୁଯାୟୀ ପରୀକ୍ଷାର୍ଥୀଙ୍କ ବସିବା ଶୈଳୀ ପ୍ରସ୍ତୁତ କରାଯିବ । ପରୀକ୍ଷା ଆରମ୍ଭ ହେବାର ୫ ମିନିଟ୍ ଆଗରୁ ପ୍ରଶ୍ନପତ୍ର ଦିଆଯିବ । ମେ’ ୧୭ରେ ହେବାକୁ ଥିବା ଉଦ୍ଭିଦ ବିଜ୍ଞାନ ବିଷୟର ପରୀକ୍ଷା ଲାଗି ପୂର୍ବାହ୍ନ ୧୦ଟା ୪୫ରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ ।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ । ୫୦୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ ରହିବେ । ସେହିପରି ୫୦୧ରୁ ୧୦୦୦ ପରୀକ୍ଷାର୍ଥୀ ଥିଲେ ଦୁଇ ଜଣ, ୧୦୦୧ରୁ ୧୨୫୦ ପରୀକ୍ଷାର୍ଥୀଙ୍କ ଲାଗି ୩ଜଣ, ୧୨୫୧ରୁ ୧୫୦୦ ପରୀକ୍ଷାର୍ଥୀଙ୍କ ଲାଗି ୪ ଜଣ, ୧୫୦୧ରୁ ୨୦୦୦ ପରୀକ୍ଷାର୍ଥୀଙ୍କ ପାଇଁ ୫ ଜଣ ଓ ୨୦୦୧ରୁ ଅଧିକ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ୬ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ । ପରୀକ୍ଷା ସମୟରେ ଜଣେ ପରୀକ୍ଷାର୍ଥୀ ଅତିବେଶିରେ ୨ରୁ ୩ ମିନିଟ ପାଇଁ ବାହାକୁ ଯାଇପାରିବେ । ପରିସ୍ରାଗାର ଯିବା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯେପରି ଦାଖଲ କରିବେ ଇନ୍‌ଭିଜିଲେଟର ତାହା ସୁନିଶ୍ଚିତ କରିବେ । ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ହବ୍‌କୁ ଯିବ । ସକାଳ ୬ଟାରୁ ୭ଟା ମଧ୍ୟରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ପରୀକ୍ଷା ପରିଚାଳନା ହବ୍‌ର ସୁପରଭାଇଜର ତାହାର ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking