27.1 C
Bhubaneswar
Tuesday, May 21, 2024
Homeଓଡିଶାଗୁଣାତ୍ମକ ଶିକ୍ଷା ଲାଗି ଭିତ୍ତିଭୂମିକୁ ଗୁରୁତ୍ୱ : ୧୪୬୦୧ ସ୍କୁଲରେ ହେବ ଅତିରିକ୍ତ ଶ୍ରେଣୀ କକ୍ଷ

ଗୁଣାତ୍ମକ ଶିକ୍ଷା ଲାଗି ଭିତ୍ତିଭୂମିକୁ ଗୁରୁତ୍ୱ : ୧୪୬୦୧ ସ୍କୁଲରେ ହେବ ଅତିରିକ୍ତ ଶ୍ରେଣୀ କକ୍ଷ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲକ୍ଷ୍ୟରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହା ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ପିଲାମାନଙ୍କର ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି କୁହାଯାଉଛି । ଏହା ସହ ରାଜ୍ୟବ୍ୟାପୀ ଅଷ୍ଟମ ଶ୍ରେଣୀ ଲାଗି ୧୪ହଜାର ୬୦୧ ସ୍କୁଲରେ ଅତିରିକ୍ତ ଶ୍ରେଣୀ କକ୍ଷ ଖୋଲି ବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୩ହଜାର ୮୨୩ଟି ସ୍କୁଲରେ ଅଷ୍ଟମ ଶ୍ରେଣ ଲାଗି ଅତିରିକ୍ତ ଶ୍ରେଣୀ କକ୍ଷ ନିର୍ମାଣ ଶେଷ ହୋଇଥିବା ବେଳେ ୪୬୮ଟି ସ୍କୁଲରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ସେହିପରି ବଳକା ୩୧୦ଟି ସ୍କୁଲରେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ରାଜ୍ୟର କେବଳ ଆଦିବାସୀ ଇଲାକାରେ ଥିବା ସ୍କୁଲଗୁଡିକରେ ଶିକ୍ଷାମହାସଭାର ଆୟୋଜନ କରାଯାଉଥିବା ବେଳେ ଏଣିକି ରାଜ୍ୟର ୬୫ହଜାର ୨୭୯ଟି ସ୍କୁଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ଏନେଇ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ବିଶେଷକରି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ବିକାଶ ଆଣିବା ସହ ପ୍ରତ୍ୟେକ ସ୍କୁଲରେ ଶୈଖିକ ପରିବେଶ ଏବଂ ମୁଲ୍ୟବୋଧ ଶିକ୍ଷାକୁ ଗୁରୁତ୍ୱ ଦେବା ଲାଗି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ପ୍ରଥମଥର ଲାଗି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲର ବିକାଶମୂଳକ କାର୍ଯ୍ୟକ୍ରମରେ ଅଭିଭାବକ, ସ୍ଥାନୀୟ ବାସିନ୍ଦା, ଶିକ୍ଷାବିତ୍‌ଙ୍କୁ ସାମିଲ କରିବା ଲାଗି ଉଦ୍ୟମ ହେଉଛି । ଫଳରେ ସ୍କୁଲଗୁଡିକରେ ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ବିକାଶ ଲାଗି ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ ହେବ ସେଥିରେ ସ୍ୱଚ୍ଛତା ରହିବ ।

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୬୫ହଜାର ୨୭୯ଟି ସ୍କୁଲ ରହିଛି । ଚଳିତବର୍ଷ ଠାରୁ ରାଜ୍ୟରେ ସବୁ ସ୍କୁଲରେ ପିଲାଙ୍କୁ ସେମାନଙ୍କର ଦକ୍ଷତାର ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିରେ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ସର୍ବାଧିକ ମାର୍କ ରଖିଥିବା ୧୨ଲକ୍ଷ ୧୭ହଜାର ୮୪୮ ପିଲାଙ୍କୁ ପୋଗ୍ରେସ ରିପୋର୍ଟ, ଲର୍ଣ୍ଣିଂ କିଟ୍ ଏବଂ ୱାର୍କ ବୁକ୍ ପ୍ରଦାନ କରାଯିବ । ସେହିପରି ୩ୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରୁ ରାଜ୍ୟରେ ୧୮ଲକ୍ଷ ୯୫ହଜାର ୯୮୬ ପିଲାଙ୍କୁ ଦକ୍ଷତା କାର୍ଡ ପ୍ରଦାନ କରାଯିବ । କେବଳ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୫୨ହଜାର ୨୯୭ଜଣ ପିଲାଙ୍କୁ ପୋଗ୍ରେସ ରିପୋର୍ଟ ସମେତ ଗଣିିତ ଏବଂ ବିଜ୍ଞାନ କିଟ୍ ପ୍ରଦାନ କରାଯିବ । ଏନେଇ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନରୁ ଅର୍ଥ ଖର୍ଚ୍ଚ କରାଯିବ ।

ବିଶେଷକରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଅଧିକ ମାର୍କ ରଖିବେ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଏପରି ଯୋଜନା ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଚଳିତବର୍ଷ ଠାରୁ ରାଜ୍ୟରେ ସବୁ ସ୍କୁଲରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ବିଭାଗପକ୍ଷରୁ ଲକ୍ଷ୍ୟରହିଛି । ମାସିକ ୨ଥର ସମୀକ୍ଷା ବୈଠକ ଏବଂ ଜିଲ୍ଲାସ୍ତରରେ ୪ଥର ସମୀକ୍ଷା ବୈଠକର ଆୟୋଜନ କରାଯାଉଛି ।

ତେବେ ଶିକ୍ଷା ବ୍ୟତୀତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଜ୍ଞାନରେ ଅଧିକ ଦକ୍ଷତା ବୃଦ୍ଧି ଲାଗି ଖୁବଶୀଘ୍ର ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନର ଆୟୋଜନ କରାଯିବ । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଦୀର୍ଘ ୨ବର୍ଷ ପରେ ରାଜ୍ୟରେ ଶ୍ରେଣୀ ଶିକ୍ଷା ଆରମ୍ଭ ହୋଇଥିବା ବେଳେ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି । ସ୍ମାର୍ଟ ଶ୍ରେଣୀ ଲାଗି ଯେପରି ରାଜ୍ୟର ସବୁ ସ୍କୁଲ ପ୍ରସ୍ତୁତ ରହିବେ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking