ଗାନ୍ଧୀନଗର: ଅନେକ ଲୋକ ମୋହ ମାୟା ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରୁଥିବା କଥା ଆପଣ ଶୁଣିଥିବେ କିନ୍ତୁ ବହୁତ କମ୍ ସମୟରେ ଏହା ଘଟୁଥିବା ଦେଖାଯାଏ । ପ୍ରାୟତଃ ମଧ୍ୟମ ଶ୍ରେଣୀର ଲୋକେ ଏହାକୁ ଆପଣାଇଥାନ୍ତି କିନ୍ତୁ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ସନ୍ନ୍ୟାସ ଗ୍ରହଣ କରୁଥିବା କ୍ୱଚିତ ଅଟେ । କିନ୍ତୁ ଗୁଜୁରାଟରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କଲାଭଳି କାହାଣୀ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜଣେ କୋଟିପତି ବ୍ୟବସାୟୀ ତାଙ୍କର ସମ୍ପତ୍ତିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
କୋଟିପତିରୁ ସନ୍ନ୍ୟାସ ନେବା ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟର ହିମତନଗରରେ ରହୁଥିବା ଆରବପତି ଭବେଶ ଭଣ୍ଡାରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏକ କାର୍ଯ୍ୟକ୍ରମ ସମୟରେ ସେ ହଜାର ହଜାର ଟଙ୍କା ଦାନ କରୁଥିବା ଦେଖିବାକୁ ମିଳିଛି । ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଭବେଶଙ୍କ କାହାଣୀ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଭବେଶ ଭଣ୍ଡାରୀ ଏବଂ ତାଙ୍କ ସ୍ତ୍ରୀ ଜୈନ ଧର୍ମ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜୈନ ଧର୍ମ ଗ୍ରହଣ କରିବା ଅର୍ଥ ସନ୍ନ୍ୟାସ ନେବା । ଉଭୟେ ପତିପତ୍ନୀ ୨୦୦ କୋଟି ଟଙ୍କା ଦାନ କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ମାସରେ ଦୁହେଁ ସମ୍ପତ୍ତି ଦାନ କରିଥିଲେ । ହିମତନଗରରେ ରହୁଥିବା ଭଣ୍ଡାରୀ ପରିବାର ପୂର୍ବରୁ ହିଁ ବ୍ୟବସାୟ ସହିତ ଜଡିତ ।
ତେବେ ପୂର୍ବରୁ ୧୬ ବର୍ଷର ପୁଅ ଏବଂ ୧୯ ବର୍ଷର ଝିଅ ୨୦୨୨ ମସିହାରେ ସନ୍ନ୍ୟାସ ଗ୍ରହଣ କରିଥିଲେ । ଜୈନ ପରିବାର ଶବରକାନ୍ତ ଏବଂ ଅହମ୍ମଦାବାଦରେ ବ୍ୟବସାୟ କରୁଥିଲେ । ଛୋଟ ସମୟରୁ ହିଁ ସେମାନେ ସମୃଦ୍ଧ ଜୀବନ ବଞ୍ଚୁଥିଲେ । ତେବେ ଫେବୃଆରୀ ମାସରେ ୩୫ ଜଣ ବ୍ୟକ୍ତିଙ୍କ ସହିତ ଭଣ୍ଡାରୀ ଦମ୍ପତି ୪ କିଲୋମିଟରର ଏକ ଶୋଭଯାତ୍ରା କରିଥିଲେ । ଏଥିରେ ମୋବାଇଲ ଫୋନ ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସମସ୍ତ ଜିନିଷ ଦାନ କରିଥିଲେ । ଦୁହେଁ ଏକ ସୁସଜ୍ଜିତ ରଥରେ ଆସି ଟଙ୍କା ସୁନା ଗହଣା ଏବଂ ଅନ୍ୟ ଜିନିଷ ସବୁ ବାଣ୍ଟୁଥିବା ନଜର ଆସିଥିଲେ । ସେମାନେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସମସ୍ତ ପାରିବାରିକ ସମ୍ପର୍କ ଶେଷ କରି ସବୁ ସମ୍ପତ୍ତି ଦାନ କରିବେ । ପରବର୍ତ୍ତୀ ସମୟରେ ଖାଲି ପାଦରେ ସବୁ ଦେଶ ଯାତ୍ରା କରିବେ । ଉଲ୍ଲେଖଯୋଗ୍ୟ ଯେ, ଜୈନ ଧର୍ମରେ ନିଜକୁ ଉତ୍ସର୍ଗୀକୃତ କରାଯାଇଥାଏ । ବିଳାସପୂର୍ଣ୍ଣତା ଏବଂ ଆଧୁନିକ ଚାକଚକ୍ୟତାରୁ ବାହାରି କେବଳ ଦାନ ଦ୍ୱାରା ନିଜକୁ ବଞ୍ଚାଇ ରଖିବା ଏବଂ ଖାଲି ପାଦରେ ଦେଶ ଭ୍ରମଣ କରିବାର ସଂକଳ୍ପ ନେଇଥାନ୍ତି ।