ରାଜସ୍ଥାନ : ବାଂସୱାଡା ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ନିଜ ମାଉସୀ ଶାଶୂଙ୍କ ଘରକୁ ଯାଇଥିଲେ । ରାସ୍ତାରେ ପୁରୁଷ ସାଙ୍ଗ ଦେଖା ହେବାରୁ ସେ ତାଙ୍କ ଗାଡ଼ିରେ ଲିଫ୍ଟ ନେଇ ପହଞ୍ଚିଥିଲେ । ହେଲେ ଯେତେବେଳେ ଏହି କଥା ତାଙ୍କ ଶାଶୂଘର ଲୋକଙ୍କୁ ଜଣାପଡ଼ିଥିଲା, ତ ସେମାନେ ପରକୀୟା ପ୍ରୀତି ସନ୍ଦେହ କରିଥିଲେ । ଏହାପରେ ମହିଳାଙ୍କୁ ଗଛରେ ବାନ୍ଧି ଖୁବ୍ ପିଟିଥିଲେ । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖିଛି । ପୋଲିସର କହିବା ହେଲା, ଘଟଣା ୬ ଦିନ ତଳର । ମହିଳା ଜଣକ କୌଣସି କାମରେ ମାଉସୀ ଶାଶୂଙ୍କ ଘରକୁ ଯାଉଥିଲେ ।
ଏହି ସମୟରେ ବାଟରେ ତାଙ୍କର ପୁରୁଷ ସାଙ୍ଗ ଦେବୀଲାଲ୍ଙ୍କ ସହିତ ଭେଟ ହୋଇଥିଲା । ପେସାରେ ଡ୍ରାଇଭର ଥିବା ଦେବୀଲାଲ୍ ମହିଳାଙ୍କୁ ନିଜ ଗାଡ଼ିରେ ବସାଇ ଘର ପର୍ଯ୍ୟନ୍ତ ନେଇ ଯାଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ମାଉସୀ ଶାଶୁ ପରକୀୟା ପ୍ରୀତି ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖିଥିଲେ । ଏହାପରେ ଘଟଣା ସମ୍ପର୍କରେ ନିଜ ଭଣଜା ଅର୍ଥାତ୍ ମହିଳାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ସୂଚନା ପାଇ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୁଇଜଣଙ୍କୁ ଜବରଦସ୍ତ ଜିପ୍ରେ ବସାଇ ଗାଁ ପର୍ଯ୍ୟନ୍ତ ନେଇ ଆସିଥିଲେ । ଗାଁରେ ପହଞ୍ଚିବା ପରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏକ ଗଛରେ ବାନ୍ଧି ପକାଇଥିଲେ ଏବଂ ବାଡ଼ି ସାହାଯ୍ୟ ନିର୍ଧୁମ ପିଟିଥିଲେ । ଏହି ଘଟଣାରେ ମାମୁଁ ଶ୍ୱଶୁରଙ୍କ ଦୁଇ ପୁଅ ମଧ୍ୟ ସାମିଲ ଅଛନ୍ତି । ବ୍ୟକ୍ତି ଜଣକ ପାଖାପାଖି ୭ ଘଣ୍ଟା କାଳ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ରଖିଥିଲେ । ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖାଯାଇଛି ।