25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶପୁଅ ଜନ୍ମ ନହେବାରୁ ସ୍ତ୍ରୀ ଓ ୩ ଝିଅକୁ କୀଟନାଶକ ପିଆଇଲା ସ୍ୱାମୀ

ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଓ ୩ ଝିଅକୁ କୀଟନାଶକ ପିଆଇଲା ସ୍ୱାମୀ

କୋଲକାତା: ଏକବିଂଶ ଶତାବ୍ଦୀରେ ବି ମଣିଷ ମନରୁ ଲିଭିନି କୁପ୍ରଥା । ପୁଅ ଜନ୍ମ ନହେବାରୁ ସ୍ତ୍ରୀକୁ ଦାୟୀ କରି ହତ୍ୟା ଉଦ୍ୟମ କଲା ସ୍ୱାମୀ । ବଳପୂର୍ବକ କୀଟନାଶକ ପିଆଇ ସ୍ତ୍ରୀ ଓ ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଗୋଷନିବାଘ ଅଞ୍ଚଳରୁ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟଲୋକେ । ସୂଚନା ଅନୁଯାୟୀ, ୧୨ ବର୍ଷ ତଳେ ଅପରାଜିତା ମଣ୍ଡଳ କଲେଜ ପଢୁଥିବା ସମୟରେ ଗୋଷନିବାଘ ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ ।

ତେବେ ପୁଅ ବଦଳରେ ଝିଅ ଜନ୍ମ ହେବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ଦେଖିବାକୁ ମିଳିଥିଲା । ପୁଅ ଜନ୍ମ ନହେବା ନେଇ ଅପରାଜିତାଙ୍କୁ ଦାୟୀ କରି ତାଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକେ ଅନେକ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା ଗଣେଶ ମଣ୍ଡଳ । ତେବେ ଗଣେଶ ମଣ୍ଡଳଙ୍କ ଅଭିଯୋଗ ଅନୁଯାୟୀ, “ଅପରାଜିତାଙ୍କ ୩ଟି ଝିଅ ଜନ୍ମ ହେବା ପରେ ତାଙ୍କ ଉପରେ ସ୍ୱାମୀ ଓ ଶାଶୁ ଘରର ନିର୍ଯାତନା ବଢ଼ିଯାଇଥିଲା । ସୋମବାର ରାତି ୮ଟା ବେଳେ ତାଙ୍କ ଝିଅ ଓ ୩ ନାତୁଣୀଙ୍କୁ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିଲା ଜ୍ୱାଇଁ । ତେବେ ସୌଭାଗ୍ୟବଶତଃ ୨ ଝିଅ କୌଶଳକ୍ରମେ ଖସିଯାଇ ପଡ଼ୋଶୀଙ୍କୁ ଏନେଇ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଗୁରୁତର ଅବସ୍ଥାରେ ତାଙ୍କ ଝିଅ ଓ ନାତୁଣୀକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ସୌଭାଗ୍ୟବଶତଃ ନାତୁଣୀ ବିପଦମୁକ୍ତ ରହିଛି । ହେଲେ ଏବେବି ଜୀବନମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଅପରାଜିତା । ତେବେ ଝିଅ ଓ ନାତୁଣୀମାନଙ୍କ ମାରି ନିଜ ଇଚ୍ଛାରେ ଅନ୍ୟତ୍ର ବିବାହ କରିବାକୁ ଏପରି କରିଥିବା ଅଭିଯୋଗ କରିଛନ୍ତି ଗଣେଶ ମଣ୍ଡଳ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଝିଅ ଓ ନାତୁଣୀ ସ୍ୱାସ୍ଥ୍ୟାବସ୍ଥା ଏପରି ଥିବାରୁ ସେ ଥାନାରେ ଏନେଇ ଏତଲା ଦେବାକୁ ଯାଇପାରିନାହାନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ପୋଲିସ କହିବାନୁଯାୟୀ, ଏନେଇ କୌଣସି ଅଭିଯୋଗ ତାଙ୍କ ପାଖକୁ ଆସିନାହିଁ । ଅଭିଯୋଗ ଆସିଲେ ସେ ଅନୁଯାୟୀ ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ । ଘଟଣାକୁ ନେଇ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking