ନୟାଗଡ: ୮୦ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ! ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଟଙ୍କା ପାଇଁ ଝିଅକୁ ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ମିଶି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ବାପଘର ଲୋକେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲାର ଚମ୍ପତିପୁର ଗାଁର ତପନ ସ୍ୱାଇଁ ଓଡଗାଁ ଥାନା ଗୋଡିପାଟଣା ଗାଁର ପଦ୍ମିନୀ ପ୍ରଧାନଙ୍କୁ ୮ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ କ୍ଷ ୩ ବର୍ଷ ତଳୁ ପଦ୍ମିନୀ ଓଡଗାଁ ଆଦର୍ଶ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ସାବିତ୍ରୀ ଥିବାରୁ ପଦ୍ମିନୀ ତାଙ୍କ ସ୍ୱାମୀଙ୍କ ଘରକୁ ଆସିଥିଲେ । ଅଭିଯୋଗ ମୁତାବକ, ସ୍ୱାମୀ ତପନ ଏକ ଗାଡି ଆଣିବା ପାଇଁ ସ୍ତ୍ରୀକୁ ୮୦ ଲକ୍ଷ ଟଙ୍କା ମାଗୁଥିଲେ ।
ଗତକାଲି (ଗୁରୁବାର) ରାତିରେ ଟଙ୍କାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ୍ୟରେ ଝଗଡା ଲାଗିଥିଲା । ସ୍ୱାମୀ ତପନ, ଦିଅର ବିଷ୍ଣୁପ୍ରସାଦ ସ୍ୱାଇଁ ଓ ଶ୍ୱଶୂର ନାରାୟଣ ସ୍ୱାଇଁ ମିଶି ବୋହୁକୁ ମାଡ଼ ମାରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ତାକୁ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ । ତେବେ ଝିଅର ଶ୍ୱଶୂର ଓ ଦିଅର ଫେରାର ଥିବା ନେଇ କହିଛନ୍ତି ମୃତକଙ୍କ ମାଆ । ଏନେଇ ପରିବାର ପକ୍ଷରୁ ଇଟାମାଟି ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଅନ୍ୟପଟେ ନୟାଗଡ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ କହିଛନ୍ତି, ଜ୍ୱାଇଁ ଝିଅକୁ ପିଟିପିଟି ହତ୍ୟା କରିଥିବା ନେଇ ରାଜୀବ ପ୍ରଧାନ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ସ୍ୱାମୀକୁ ଅଟକ ରଖାଯାଇଛି । ପୋଲିସ ତାଙ୍କର ଏକ ୪ ବର୍ଷର ପିଲାଙ୍କୁ ମଧ୍ୟ ଏନେଇ ପଚରାଉଚରା କରିବ । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।