33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶ୧୧ ରାଜ୍ୟକୁ ବ୍ୟାପିଲା ‘ଅଗ୍ନିପଥ’ ନିଆଁ, ୨ ମୃତ

୧୧ ରାଜ୍ୟକୁ ବ୍ୟାପିଲା ‘ଅଗ୍ନିପଥ’ ନିଆଁ, ୨ ମୃତ

ନୂଆଦିଲ୍ଲୀ: ସେନାବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ‘ଅଗ୍ନିପଥ’ ଯୋଜନା ବିରୋଧରେ ଚାଲିଥିବା ଆନ୍ଦୋଳନ କ୍ରମେ ବିଭିନ୍ନ ରାଜ୍ୟକୁ ବ୍ୟାପୀବାରେ ଲାଗିଛି । ବିହାରରୁ ଆରମ୍ଭ ହୋଇଥିବା ଅଗ୍ନିପଥ ନିଆଁ ଏବେ ଓଡ଼ିଶା ସମେତ ୧୧ ରାଜ୍ୟକୁ ବ୍ୟାପିଗଲାଣି । ହିଂସାତ୍ମକ ଆନ୍ଦୋଳନ କାରଣରୁ ସିକନ୍ଦରାବାଦ ଓ ବିହାରର ଲଖିସରାୟ ଜିଲ୍ଲାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶ ଓ ବିହାରରେ ଆନ୍ଦୋଳନକାରୀ କେତେକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିବାବେଳେ ବହୁ ସ୍ଥାନରେ ରେଳ ଟ୍ରାକ୍ ଓ ସଡ଼କ ଜାମ୍ କରିଛନ୍ତି । ତେଲେଙ୍ଗାନାର ସିକନ୍ଦରାବାଦ ଷ୍ଟେସନ୍‌ରେ ୨ ହଜାରରୁ ଅଧିକ ଉଗ୍ର ଆନ୍ଦୋଳନକାରୀ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଛନ୍ତି । ଏକ କୋଚ୍‌ରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି। ଜଳନ୍ତା ଟ୍ରେନ୍‌ରୁ ରେଳବାଇ କର୍ମଚାରୀ ୪୪ ଯାତ୍ରୀଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି । ଯାତ୍ରୀଙ୍କ ମଧ୍ୟରେ କେତେକ ଶିଶୁ ମଧ୍ୟ ଥିଲେ । ଏଠାରେ ହିଂସାତ୍ମକ ଆନ୍ଦୋଳନ କାରଣରୁ ଜଣକର ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ୱାରଙ୍ଗଲର ରାଜେଶ ବୋଲି ଜଣାପଡ଼ିଛି ।

ଆନ୍ଦୋଳନକାରୀମାନେ ପୁଲିସକୁ ପ୍ରବଳ ଟେକା ପଥର ମାଡ଼ କରିଥିଲେ । ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଫାଙ୍କା ଗୁଳି ଚାଳନା କରିଥିଲା । ଆନ୍ଦୋଳନ କାରଣରୁ ହାଇଦ୍ରାବାଦ ମେଟ୍ରୋର କେତେକ ରୁଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ରେଳବାଇ ସୂତ୍ରରୁ ଜଣାଯାଇଛି ଯେ ଗତ ୩ ଦିନ ମଧ୍ୟରେ ଆନ୍ଦୋଳନକାରୀମାନେ ୧୨ଟି ଟ୍ରେନ୍ ପୋଡ଼ି ଦେଇଥିବା ବେଳେ ୩୦୦ ଟ୍ରେନ୍ କ୍ଷତିଗ୍ରସ୍ତ ହୋଇଛି । ୨୧୪ଟି ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଥିବା ବେଳେ ୧୧ଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି । ଆନ୍ଦୋଳନ ଯୋଗୁଁ ୯୦ଟି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ôଚପାରି ନାହାନ୍ତି । ରାଜସ୍ଥାନର ଭରତପୁର ଜଙ୍କସନ୍ ଷ୍ଟେସନ୍‌ରେ ଆନ୍ଦୋଳକାରୀ ପୁଲିସ ଉପରେ ଆକ୍ରମଣ କରିଛନ୍ତି ।

ଉତ୍ତର ପ୍ରଦେଶର ବଲିଆରେ ଶୁକ୍ରବାର ସକାଳ ୫ଟାରୁ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ଏଠାରେ କେତେକ ଯାନବାହନ ଭଙ୍ଗାରୁଜା କରାଯାଇଛି । ପୁଲିସ୍ ଜଣେ ଉପଦ୍ରବୀକୁ ଗିରଫ କରିଛି । ରାଜର ୧୧ ଜିଲ୍ଲାରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଆନ୍ଦୋଳନକାରୀ ୪ଟି ବସ୍ ଭଙ୍ଗାରୁଜା କରିବା ସହ ଜାମ୍ ଲଗାଇଥିଲେ । ପୁଲିସ ପହଞ୍ଚି ଉପଦ୍ରବୀଙ୍କୁ ସେଠାରୁ ଘଉଡ଼ାଇବା ସହ ଅବରୋଧ ହଟାଇଥିଲା । ସେହିପର ବୁଲନ୍ଦସହର, ମିରଟ, ଆଗ୍ରା, ମଥୁର, ବାରାଣସୀ, ଉନ୍ନାଓ, ଗୋରଖପୁର, ଗୋଣ୍ଡା, ରାୟବରେଲି ଓ ବଲିଆ ଜିଲ୍ଲାରେ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆନ୍ଦୋଳନକାରୀ ରେଳ ଟ୍ରାକ୍‌ରେ ବସି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ । ପୁଲିସ ପହଞ୍ଚିବା ପରେ ସେମାନଙ୍କ ଉପରକୁ ଟେକା ପଥର ମାଡ଼ କରିବା ଫଳରେ ବହୁ ପୁଲିସ କର୍ମୀ ଆହତ ହୋଇଛନ୍ତି । ଜଣକର ମୁଣ୍ଡ ଫାଟିଯାଇଛି । ପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିିଥିଲା ।

ବିହାରର୨୫ ଜିଲ୍ଲାରେ ଜୋର୍‌ଦାର ବିରୋଧ ପ୍ରଦର୍ଶନ କରାଯାଇଛି । ସମସ୍ତିପୁରରରେ ୨, ଲଖିସରାୟରେ ୨, ଆରା ଏବଂ ସୁପୌଲ୍‌ରେ ଗୋଟିଏ ଲେଖାଏଁ ଯାତ୍ରିବାହୀ ଟ୍ରେନ୍‌ରେ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଛନ୍ତି । ସେହିପରି ନାଳନ୍ଦା, ବକ୍ସାର ସମେତ କେତେକ ଜିଲ୍ଲାରେ ଟ୍ରେନ୍ ଟ୍ରାକ୍‌ରେ ନିଆଁଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆରାରେ ନିଆଁଜାଳି ସଡ଼କ ଜାମ୍ କରାଯାଇଥିବା ବେଳେ ବେତିଆରେ ଡେପୁଟି ମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ସରକାରୀ ବାସଭବନ ଉପରେ ଆନ୍ଦୋଳନକାରୀ ଟେକା ପଥର ମାଡ଼ କରିଛନ୍ତି । ଦରଭଙ୍ଗାରେ ଆନ୍ଦୋଳନକାରୀଙ୍କ ରାସ୍ତାରୋକ ବେଳେ ଏକ ସ୍କୁଲ୍ ବସ୍ ଫସିଯାଇଥିଲା । ଛାତ୍ରଛାତ୍ରୀମାନେ ଆନ୍ଦୋଳନକାରୀଙ୍କ ହାତରେ ଠେଙ୍ଗାବାଡ଼ି ଦେଖି କାନ୍ଦିବାକୁ ଲାଗିଥିଲେ । ପୁଲିସ ପହଞ୍ଚି ବସ୍‌କୁ ସେଠାରୁ ଉଦ୍ଧାର କରିଥିଲା । ହାଜିପୁର ଷ୍ଟେସନ୍‌ରେ ଉଗ୍ର ଛାତ୍ରମାନେ ଭଙ୍ଗାରୁଜା କରିଥିବା ବେଳେ ସମସ୍ତିପୁରରେ ଜମ୍ମୁତାୱି-ଗୁଆହାଟୀ ଏକ୍ସପ୍ରେସ୍‌, ବିହାର ସମ୍ପର୍କ କ୍ରାନ୍ତି ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ । ହିଂସ୍ର ଆନ୍ଦୋଳନ ଯୋଗୁଁ ଲଖିସରାୟରେ ଜଣକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଛାପ୍ରା, ବେଗୁସରାୟ ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ଆଗାମୀ ଦୁଇଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ।

ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟେସନ୍‌ରେ ଆନ୍ଦୋଳନକାରୀ ହଙ୍ଗାମା କରିବା ସହ ଲକ୍ଷ୍ମୀବାଇ ଷ୍ଟେସନ୍‌ରେ ରେଳରୋକ କରିଥିଲେ । ଫଳରେ କେତେକ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୁଲିସକୁ ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା । ହରିୟାଣାର ନାରନୌଲ ବସ୍‌ଷ୍ଟାଣ୍ଡ୍‌ରେ ଆନ୍ଦୋଳନକାରୀ ଛାତ୍ର ବିରୋଧୀ ସ୍ଳେଗାନ ଦେବା ସହ ଭଙ୍ଗାରୁଜା କରିଥିଲେ । ପୁଲିସ୍‌କୁ ଲାଠିଚାଳନା କରିବାକୁ ପଡ଼ିଥିଲା । ୨୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଥିଲା । ସେହିପରି ଜିନ୍ଦ, ହିସାର, ଫତେହବାଦ, ରୋହତକ ସମେତ ବହୁ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରାଯାଇଛି । ଜିନ୍ଦର ନରୱାନା ଷ୍ଟେସନ୍‌ରେ ଆନ୍ଦୋଳନକାରୀ ଛାତ୍ର ଦିଲ୍ଲୀ-ଫିରୋଜପୁର ରେଳ ଟ୍ରାକ୍ ଜାମ୍ କରିଥିଲେ । ସେହିପରି ଫତେହାବାଦ ଓ ରତିୟାରେ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି । ରାଜ୍ୟର ପଲବଲରେ ଗତକାଲି ଉତ୍ପାତ ଚଳାଇଥିବା ଯୁବକମାନେ ପୁଲିସ ଉପରକୁ ଦେଶୀ ବନ୍ଧୁକରୁ ଫାୟାର୍ କରିଥିଲେ । ସେମାନେ ପୁଲିସକୁ ଠେଙ୍ଗା ବାଡ଼ିରେ ଆକ୍ରମଣ ସହ ଟେକା ପଥର ମାଡ଼ କରିଥିଲେ । ପୁଲିସ ୧୪୨ ଜଣଙ୍କ ନାମରେ ମୋକଦ୍ଦମା ରୁଜୁକରି ଗିରଫଦାରୀ ଆରମ୍ଭ କରିଛି ।

ଝାଡ଼ଖଣ୍ଡର ପଲାମୁ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଜୋର୍‌ଦାର ବିରୋଧ ହୋଇଥିଲା । ଶୁକ୍ରବାର ଡାଲ୍‌ଟନ୍‌ଗଞ୍ଜ ଷ୍ଟେସନ୍‌ରେ ପ୍ରାୟ ୪୫ ମିନିଟ୍ ଧରି ହଙ୍ଗାମା ଚଳାଇଥିଲେ । ଆନ୍ଦୋଳକାରୀ ଯୁବକମାନେ ରେଳ ଟ୍ରାକ୍‌ରେ ହିଁ ପୁଶ୍‌ଅପ୍ କରିଥିଲେ । ହାତରେ ତ୍ରିରଙ୍ଗା ଧରି ଟ୍ରାକ୍ ଉପରେ ବସି ଅଗ୍ନିପଥ ଯୋଜନା ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଦିଲ୍ଲୀର ଆଇଟିଓ ମେଟ୍ରୋ ଷ୍ଟେସନ୍‌ରେ ଆମ୍ ଆଦ୍‌ମୀ ପାର୍ଟିର ଛାତ୍ର ସଂଗଠନ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ପ୍ରଦର୍ଶନ କାରଣରୁ ଆଇଟିଓ ମେଟ୍ରୋ ଷ୍ଟେସନ୍‌ର ସମସ୍ତ ଗେଟ୍ ବନ୍ଦ କରିଦିଆଯାଇଥିଲା ଏବଂ ପୁଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ଅଗ୍ନିପଥ ଯୋଜନାକୁ ନେଇ ଜମ୍ମୁରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି ।

ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତି ଚଳାଇଥିବା ଯୁବକମାନେ ଆର୍ମି ରିକ୍ରୁଟ୍‌ମେଣ୍ଟ୍ ସେଣ୍ଟର୍ ବାହାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ସହ ସେନାରେ ସ୍ଥାୟୀ ନିଯୁକ୍ତି ଦାବି କରିଥିଲେ । ସେହିପରି ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଯୁବକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ରେଳବାଇ ସମ୍ପତ୍ତି ନଷ୍ଟ ନକରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ରେଳବାଇ ସମ୍ପତ୍ତି ଆପଣଙ୍କର ଏବଂ ଦେଶର ସମ୍ପତ୍ତି । କୌଣସି ପ୍ରକାର ହିଂସାତ୍ମକ ପ୍ରଦର୍ଶନ ନକରିବାକୁ ସେ ନିବେଦନ କରିଛନ୍ତି । ରେଳବାଇ ସମ୍ପତ୍ତି ଆପଣମାନଙ୍କ ସେବା ପାଇଁ ରହିଛି, ତେଣୁ ସେଗୁଡ଼ିକ ନଷ୍ଟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking