ନୀଳଗିରି: ୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଇଦେଲା ବାପା। କନ୍ୟା ସନ୍ତାନ ଚାହୁଁନଥିବା ବାପା ଘଟାଇଛି ଏହି ନାରକୀୟ କାଣ୍ଡ। ଶ୍ୱଶୁର ଘରେ ପଶି ପିଶାଚ ବାପା ଝିଅ ଦେହରେ ବିଷ ଇଞ୍ଜେକସନ୍ ଦେଇ ହତ୍ୟା ଉଦ୍ୟମ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାର ଅବସ୍ଥା ସଙ୍କଟାପନ୍ନ ରହିଛି। ତାକୁ ଆଇସିୟୁରେ ରଖାଯାଇଛି। ଆଜି ସକାଳେ ନୀଳଗିରି ଥାନା ଶିଙ୍ଘିରି ଗାଁରେ ଏହି ଘଟଣା ଘଟିଛି।
ପିଶାଚ ବାପାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆସନ୍ତାକାଲି କନ୍ୟା ସନ୍ତାନର ଏକୋଇସିଆ ଉତ୍ସବ ପାଳନ ନିମନ୍ତେ ଅଜା ଘର ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଥିବା ବେଳେ ଏହି ଖୁସିକୁ ଦୁଃଖରେ ପରିଣତ କରିଦେଇଛି ଖୋଦ୍ ଜନ୍ମକଲା ବାପା। ଯେଉଁ ହାତରେ ଝିଅକୁ ଲାଳନପାଳନ କରିବା କଥା ସେହି ହାତରେ ନିଜ ନବଜାତ କନ୍ୟାକୁ ବିଷ ଇଞ୍ଜେକସନ୍ ଦେବା ଆଲୋଚନାର ବିଷୟ ହୋଇଛି।