ପାରଳାଖେମୁଣ୍ଡି : ଚାରି ଜଣ ପୁଅ ଓ ଜଣେ ଝିଅ ଜନ୍ମ ଦେଇଥିଲେ ପରିଣତ ବୟସରେ ଏବେ ସେମାନଙ୍କ ବାପା ପାଲଟି ଯାଇଛନ୍ତି ଅଲୋଡ଼ା । ବୃଦ୍ଧ ବୟସରେ ତାଙ୍କୁ କେହି ନପଚାରିବାରୁ ଶେଷରେ ସେ ବାଧ୍ୟ ହୋଇ ଅନଶନରେ ବସିଛନ୍ତି । ପାରଳାଖେମୁଣ୍ଡି ରାଜନଅର ସମ୍ମୁଖରେ ରାମ ମୋହନ ପଟ୍ଟନାୟକ (୮୭) ନାମକ ଜଣେ ବୃଦ୍ଧ ଆମରଣ ଅନଶନରେ ବସିଛନ୍ତି । ଗତ ୧୪ ତାରିଖରେ ସେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ଅନଶନର କାରଣ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କର ୪ ପୁଅ ଏବଂ ଜଣେ ଝିଅ ଅଛନ୍ତି । ମାତ୍ର ସେ ବର୍ତ୍ତମାନ ପାରଳାଖେମୁଣ୍ଡି ସ୍ଥିତ ଏର୍ଦ୍ଦଲାସାହି ସ୍ଥିତ ତାଙ୍କର ବାସଭବନରେ ଏକାକୀ ଜୀବନ ବିତାଉଛନ୍ତି । ୪ ପୁଅ ମଧ୍ୟରୁ ୩ଜଣ ବାହାରେ ଥିବା ବେଳେ ଜଣେ ପୁଅ ପାଡାଲା ସାହିଠାରେ ରହୁଛନ୍ତି । କିନ୍ତୁ ସେ ବୃଦ୍ଧ ପିତାଙ୍କ କୌଣସି ଯତ୍ନ ନେଉନାହାନ୍ତି । ତେଣୁ ସେ ପ୍ରତିଦିନ ଜଗନ୍ନାଥ ମନ୍ଦିର ଯାଇ ଭୋଜନ କରୁଛନ୍ତି । କିନ୍ତୁ ଜଗନ୍ନାଥମନ୍ଦିର ଦୂରରେ ରହିଥିବାରୁ ସବୁଦିନ ସେଠାକୁ ଯିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ଅନ୍ୟପକ୍ଷରେ ତାଙ୍କର ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁଁ ସେ ନିଜେ ରୋଷେଇ କରି ଖାଦ୍ୟ ଖାଇବା କଷ୍ଟକର ହୋଇପଡିଛି । ତେଣୁ ସେ ବଡପୁଅ ରହୁଥିବା ପାଡଲା ସାହି ଘରଟିକୁ ନିଜ ଅକ୍ତିଆରକୁ ନେଲେ ତାଙ୍କ ପକ୍ଷେ ଜଗନ୍ନାଥ ମନ୍ଦିର ଯାତାୟତ କରିବା ସୁବିଧା ହୁଅନ୍ତା ବୋଲି ସେ କହିଛନ୍ତି, ଯାହାକି ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇପାରିନାହିଁ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ହସ୍ତକ୍ଷେପ କରି ତାଙ୍କୁ ନ୍ୟାୟ ଦେଲେ ସେ ଉପକୃତ ହେବେ ବୋଲି କହିଛନ୍ତି । ନଚେତ ସେ ଆମରଣ ଅନଶନ ଭଙ୍ଗ କରିବେ ନାହିଁ ବୋଲି କହିଛନ୍ତି ।