କୋଲକାତା : ସାଂଘାତିକ କଥା କହିଲେ ସେଦିନ ଆରଜି କରରେ ଡ୍ୟୁଟିରେ ଥିବା ଡାକ୍ତର ତାପସ ପ୍ରମାଣିକ । ଅଗଷ୍ଟ ୯ ତାରିଖ ରାତିରେ ଏମର୍ଜେନ୍ସୀ ବିଭାଗରେ ସେ ଡ୍ୟୁଟି କରୁଥିଲେ । ରାତି ୧୧ଟା ୪୫ମିନିଟରେ କିଛି ଗୋଟିଏ ଘଟଣା ଘଟିଛି ବୋଲି ଗ୍ରୁପରେ ସୂଚନା ପାଇଥିଲେ । ପ୍ରଥମେ ଛାତି ରୋଗ ବିଭାଗରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ପାଇଥିଲେ ତାପସ । କିନ୍ତୁ ପରଦିନ ସକାଳ ୧୦ଟା ବେଳେ ସେହି ବିଭାଗର ବିଭାଗୀୟ ମୁଖ୍ୟ କହିଥିଲେ, ଜଣେ ପିଜି ଟ୍ରେନିଂ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏସଓପି ଅନୁସାରେ ମୃତଦେହକୁ ଏମର୍ଜେନ୍ସୀ ବିଭାଗକୁ ଅଣାଯାଇଥିଲା । ପରିବାର ଲୋକଙ୍କୁ କଲ୍ କରି ସୂଚନା ଦିଆଯାଇଥିଲା । ତେବେ ଏତେବଡ଼ ଘଟଣା ଘଟିଥିଲେ କି କେହି କେମିତି ଜାଣି ପାରିଲେ ନାହିଁ ବୋଲି କହିଛନ୍ତି ତାପସ ପ୍ରମାଣିକ । ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ଯେଉଁଭଳି ଭାବରେ ମାମଲାକୁ ପରିଚାଳନା କଲେ ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ ତନାଘନା ଆରମ୍ଭ ହୋଇଛି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟକୁ ଗରିଫ କରାଯାଇଥିବା ବେଳେ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଚାଲିଛି ।
ସେପଟେ ଆର୍ ଜି କର ହସ୍ପିଟାଲ୍ ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିଛନ୍ତି ପଶ୍ଚିମବଙ୍ଗ ସରକାର । ସନ୍ଦୀପଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ମେଡିକାଲ କଲେଜରେ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସନ୍ଦୀପ ଘୋଷଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ସନ୍ଦୀପ ଘୋଷ ଏବଂ ତାଙ୍କୁ ସହାୟତା କରିଥିବା ଅନ୍ୟ ତିନିଜଣଙ୍କୁ ସିବିଆଇ କୋଲକାତା ସ୍ଥିତ ଅଲ୍ଲୀପୁର ଜଜ୍ କୋର୍ଟରେ ହାଜର କରିଥିଲା । କୋର୍ଟ ମାମଲାର ଶୁଣାଣି କରି ସମସ୍ତଙ୍କୁ ୮ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ସନ୍ଦୀପ ଘୋଷଙ୍କ ସହ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର ଅଲ୍ଲୀ ଖାନ୍ । ଏହି ୪ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅଭିଯୁକ୍ତ ମାନଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏହି ଅଭିଯୁକ୍ତ ମାନେ ସିବିଆଇ ରାଡାରକୁ ଆସିଥିଲେ ।