ମୟୂରଭଞ୍ଜ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକର ଜୀବନ। ପାଣି ଶୁଖାଇ ମାଛ ଧରିବା ପାଇଁ ପୋଖରୀରେ ଲାଗିଥିଲା ପାଣିପମ୍ଫ। ସେଥିପାଇଁ ପାଣିପମ୍ଫ ଚଳାଇବାକୁ ସଂଯୋଗ ହୋଇଥିଲା ବିଦ୍ୟୁତ୍ ତାର। ଆଉ ଦାୟିତ୍ଵହୀନ ଭାବେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକର ଜୀବନ। ଦୁନିଆଁ ଦେଖିବା ଆଗରୁ ଚାଲିଗଲା ନାବାଳକର ଜୀବନ। ପୁଅକୁ ହରାଇ ବାପାମାଆଙ୍କ ଆଖିରୁ ଶୁଖୁନି ଲୁହର ଧାର। ତେବେ ମାଛ ଧରିବା ପାଇଁ ବିଦ୍ୟୁତ୍ ଚାଳିତ ପାଣିପମ୍ଫ ଲଗାଇ ଦାୟିତ୍ଵହୀନ ଭାବେ ଖୋଲାରେ ତାର ପକାଇ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନାବାଳକ ପୁଅକୁ ହରାଇ ଥିବା ପରିବାରକୁ ତୁରନ୍ତ ସରକାରୀ ନିୟମ ଅନୁସାରେ ଉଚିତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି। ତେବେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗଡା ପଞ୍ଚାୟତ ଧୀରଳ ଗ୍ରାମରେ। ଏଠାରେ ପୋଖରୀର ପାଣି ଶୁଖାଇ ମାଛ ଧରିବାକୁ ଲଗା ଯାଇଥିବା ଏକ ପାଣିପମ୍ପର ବିଦ୍ୟୁତ ତାରରେ ଲାଗି ଜଣେ ନାବାଳକର ମୃତ୍ୟୁ ଘଟିଛି।ମୃତ ନାବାଳକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ବ୍ଲକ ହାତୀଗୋଡ଼ା ପଞ୍ଚାୟତ ଅନ୍ତର୍ଗତ ଧିରଳ ଗ୍ରାମର ଗୋବିନ୍ଦ ମୁର୍ମୁ ଙ୍କ ୬ ବର୍ଷର ପୁଅ ମାସାଙ୍ଗ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ଥିବା ଏକ ସରକାରୀ ପୋଖରୀକୁ ଚନ୍ଦ୍ରମହୋନ ମାର୍ଣ୍ଡୀ ନିଲାମରେ ନେଇ ମାଛ ଚାଷ କରିଥିଲେ । ଚନ୍ଦ୍ରମୋହନ ମାଛ ଧରିବାକୁ ସକାଳ ସମୟରେ ପୋଖରୀର ପାଣି ସୁଖାଇବା ପାଇଁ ବିଦ୍ୟୁତ୍ ଚାଳିତ ପାଣିପମ୍ଫ ବ୍ୟବହାର କରିଥିଲେ। ପାଣିପମ୍ଫକୁ ବିଦ୍ୟୁତ ସଂଯୋଗ କରିବାକୁ ପୋଖରୀ ନିକଟରେ ଥିବା ଲକ୍ଷ୍ମୀଧର ଦାସଙ୍କ ଘରୁ ବିଦ୍ୟୁତ ତାର ଲଗାଇ ପାଣି ପମ୍ପରେ ସଂଯୋଗ କରିଥିଲେ। ସକାଳ ପ୍ରାୟ ୯ ଟା ସମୟରେ ମାସାଙ୍ଗ ସାଙ୍ଗମାନଙ୍କ ସହିତ ପୋଖରୀ କୂଳରେ ଖେଳୁଥିବା ବେଳେ ମାଟି ଉପର ଦେଇ ପାଣି ପମ୍ପକୁ ଯାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଥିଲେ। ପରେ ଘଟଣା ସମ୍ପର୍କରେ ବାଳକର ବଡଭାଇ ପୀଥ ବାପାଙ୍କୁ ଯାଇ କହିଥିଲେ। ଖବରପାଇ ମୃତ ବାଳକର ବାପା ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ପରିବାର ଲୋକେ ଏକ ବାଇକ ଯୋଗେ ଗୁରୁତର ନାବାଳକ ମାସାଙ୍ଗକୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।ଖବରପାଇ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇଙ୍କ ସହ ଏ ଏସ ଆଇ ରତ୍ନାକର ବାରିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଥିବା ଜଣାପଡିଛି। ଅନ୍ୟପଟେ ନାବାଳକ ପୁତ୍ରକୁ ହରାଇଥିବା ଗୋବିନ୍ଦ ମାର୍ଣ୍ଡିଙ୍କ ଏତେଲା କ୍ରମେ ଠାକୁରମୁଣ୍ଡା ଥାନା ପୋଲିସ ଚନ୍ଦ୍ରମହନ ମାର୍ଣ୍ଡୀ ଓ ଲକ୍ଷ୍ମୀଧର ଦାସ ନାମରେ କେଶ ନଂ ୩୪/୨୦୨୪ରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତଜାରୀ ରଖିଥିବା ଜଣାପଡ଼ିଛି। ତେବେ ସଂପୃକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ କରାଯିବା ସହ ପୁତ୍ର ହରା ପରିବାରକୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।