37.8 C
Bhubaneswar
Monday, May 12, 2025
Homeଦେଶ ବିଦେଶସମଗ୍ର ଉତ୍ତର ଗାଜା ଯୁଦ୍ଧକ୍ଷେତ୍ର ମୃତ୍ୟୁସଂଖ୍ୟା ୮ ହଜାର ଟପିଲା: ପଣବନ୍ଦୀଙ୍କ ମୁକ୍ତି ପାଇଁ ସ୍ବତନ୍ତ୍ର...

ସମଗ୍ର ଉତ୍ତର ଗାଜା ଯୁଦ୍ଧକ୍ଷେତ୍ର ମୃତ୍ୟୁସଂଖ୍ୟା ୮ ହଜାର ଟପିଲା: ପଣବନ୍ଦୀଙ୍କ ମୁକ୍ତି ପାଇଁ ସ୍ବତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ପାଲେଷ୍ଟିନୀୟ ଆତଙ୍କବାଦୀ ସଂଗଠନ ହମାସ ସହ ଇସ୍ରାଏଲର ମାରାତ୍ମକ ସଂଘର୍ଷ ୨୪ତମ ଦିନରେ ପ୍ରବେଶ କରିଥିବା ବେଳେ ଇସ୍ରାଏଲ ସେନା ରବିବାର ଗାଜାପଟିରେ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ସେନା କହିଛି ଯେ ସ୍ଥଳ ଅପରେସନ ମାଧ୍ୟମରେ ଏହା ୧୫୦ରୁ ଅଧିକ ଭୂତଳ ସୁଡ଼ଙ୍ଗ ଏବଂ ବଙ୍କର ସମେତ ଅନେକ ହମାସ କାର‌୍ୟ୍ୟକର୍ତ୍ତାଙ୍କ ସ୍ଥାନକୁ ଟାର୍ଗେଟ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମଧ୍ୟ ଉତ୍ତର ଗାଜା ବାସିନ୍ଦାଙ୍କୁ ଚେତାବନୀ ଦେଇ କହିଛି ଯେ ଏହା ହମାସ ବିରୋଧରେ ବିମାନ ଅଭିଯାନ ବୃଦ୍ଧି କରିଥିବାରୁ ଏହି ଅଞ୍ଚଳ ‘ଯୁଦ୍ଧକ୍ଷେତ୍ର’ରେ ପରିଣତ ହୋଇଛି।
ତେଲ ଅଭିଭଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ତାଙ୍କ ସେନା ଗାଜାରେ ହମାସ ବିରୋଧରେ ଯୁଦ୍ଧର ଦ୍ୱିତୀୟ ପର‌୍ୟ୍ୟାୟ ଆରମ୍ଭ କରିଛି ଏବଂ ସେ ‘ଭୂମି ଉପରେ ଏବଂ ତଳେ’ ଥିବା ଶତ୍ରୁଙ୍କୁ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ। ହମାସ ସହ ଯୁଦ୍ଧକୁ ଇସ୍ରାଏଲର ବଞ୍ଚିବା ପାଇଁ ଲଢ଼େଇ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାଜାରେ ଦ୍ୱିତୀୟ ପର‌୍ୟ୍ୟାୟ ସ୍ଥଳ ଅଭିଯାନ ଏକ ‘ଲମ୍ବା ଏବଂ କଠିନ’ ଅଭିଯାନ ହେବ। ଏହି ଯୁଦ୍ଧରେ ଆମେ ବିଜୟୀ ହେବୁ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନ୍ୟପକ୍ଷରେ ପଣବନ୍ଦୀଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଦାବି ଜୋରଦାର ହୋଇଛି। ହମାସ ଦ୍ୱାରା ଗାଜାରେ ବନ୍ଦୀ ଥିବା ଇସ୍ରାଏଲବାସୀଙ୍କ ଅନେକ ପରିବାର ଅନୁଭବ କରନ୍ତି ଯେ ଏହି ଅଞ୍ଚଳରେ ଚାଲିଥିବା ସାମରିକ ଅଭିଯାନ ସେମାନଙ୍କ ପ୍ରିୟଜନଙ୍କ ଜୀବନକୁ ବିପଦରେ ପକାଇବ। ଯଦି କୌଣସି ସରକାରୀ ମନ୍ତ୍ରୀ ସେମାନଙ୍କୁ ସାକ୍ଷାତ ନ କରନ୍ତି ତେବେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଧମକ ଦେଇ ଶତାଧିକ ବନ୍ଧକଙ୍କ ସମ୍ପର୍କୀୟ ଶନିବାର ଟେଲ୍ ଅଭିଭ ରାସ୍ତାକୁ ଓହ୍ଲାଇଥିଲେ। ତରବରିଆ ଭାବେ ଆୟୋଜିତ ବୈଠକରେ ସମ୍ପର୍କୀୟଙ୍କ ସହ ସାକ୍ଷାତ କରିବା ପରେ ନେତାନ୍ୟାହୁ ବନ୍ଦୀମାନଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ନେତାନ୍ୟାହୁ ଏହା ମଧ୍ୟ କହିଛନ୍ତି ଯେ, ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ ‘ସମସ୍ତ ସୁଯୋଗ’କୁ ଉପଯୋଗ କରିବ ଏବଂ ସ୍ବତନ୍ତ୍ର ରଣନୀତିରେ ଆଗକୁ ବଢ଼ିବ। ସେ ଇସ୍ରାଏଲ ଏବଂ ଅନ୍ୟ ନାଗରିକଙ୍କ ଅପହରଣକୁ ମାନବିକତା ବିରୋଧୀ ଅପରାଧ ବୋଲି କହିବା ସହ ଆଇଡିଏଫ୍‌କୁ ଏକ ‘ନୈତିକ ସେନା’ ବୋଲି କହିଛନ୍ତି ଏବଂ ଏହା ‘ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଉ ନାହିଁ’ ବୋଲି ମଧ୍ୟ କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଉତ୍ତର ଗାଜା ବାସିନ୍ଦାଙ୍କୁ ଏହି ଅଞ୍ଚଳର ଦକ୍ଷିଣକୁ ଚାଲିଯିବାକୁ ଆହ୍ୱାନ ଦେଇଛନ୍ତି। ଗାଜାରେ ହମାସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ ଇସ୍ରାଏଲର ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ ହେବା ପରଠାରୁ ସଂଘର୍ଷଗ୍ରସ୍ତ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ୮,୦୦୦ ଅତିକ୍ରମ କରିଛି। ସେପଟେ ଅକ୍ଟୋବର ୭ରେ ହମାସର ଅଭୂତପୂର୍ବ ଆକ୍ରମଣରେ ଇସ୍ରାଏଲରେ ମୃତ୍ୟୁ ସଂଖ୍ୟା ୧୪୦୦ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking