ଭୁବନେଶ୍ୱର: ଓଡିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ହିଂସା ଭିଡ଼ ହିଂସା ଅରାଜକତା, ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଉକ୍ତ ସମ୍ମିଳନୀକୁ ସମ୍ବୋଧିତ କରି ପିସିସି ମୁଖପାତ୍ର ଡଃ ମନୀଷା ଦାସ ପଟ୍ଟନାୟକ କହିଲେ, ଆଜି ଓଡ଼ିଶାର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଓ ଚିନ୍ତାଜନକ l ଦିନକୁ ଦିନ ରାଜ୍ୟରେ ବିଭତ୍ସ ହତ୍ୟା ଗଣ ଦୁଷ୍କର୍ମ, ମହିଳା ନିର୍ଯାତନା ଆତ୍ମଦାହ ଦାଦାବଟି ଏବଂ ହିଂସା ବଢ଼ି ଚାଲିଛି l ଆଜି ଓଡ଼ିଶାରେ ନା ମହିଳା ନା ଶିଶୁ ନା ସାଧାରଣ ଲୋକ ନା ପୋଲିସ କର୍ମଚାରୀ ସୁରକ୍ଷିତ l ଏନସିଆରବି ରିପୋର୍ଟ ମଧ୍ୟ ଓଡ଼ିଶାର ଭୟଙ୍କର ସତ୍ୟକୁ ସାମ୍ନାକୁ ଆଣିଛି, ଯାହାକି ଓଡିଶାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିଛି l ଦୁଇବର୍ଷର ଏଇ ସରକାର କେବଳ ନିଜର ଆତ୍ମ ପ୍ରଚାରରେ ବ୍ୟସ୍ତ କିନ୍ତୁ ଲୋକଙ୍କ ସୁରକ୍ଷା କଥା ପଚାରିଲା ବେଳେ ବିରୋଧୀଙ୍କୁ କାହିଁକି ଉତ୍ତର ଦିଆଯିବ ବୋଲି ଯୁକ୍ତି ବଢୁଛନ୍ତି l ଅନ୍ୟ ରାଜ୍ୟରେ କୌଣସି ଘଟଣା ଘଟିଲେ ଏଇ ସରକାର ତତ୍ପର ହୋଇ ଉଠୁଛନ୍ତି କିନ୍ତୁ ନିଜ ରାଜ୍ୟ କଥା ଅସିଲାବେଳକୁ ତଦନ୍ତ ଚାଲିବାର ଆଳ ଦେଇ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି l ବଡ଼ ବଡ଼ ସରକାରୀ ଅଧିକାରୀ, ପୋଲିସ ଅଧିକାରୀ ମାନଙ୍କର ଅପରାଧ ଲୁଚାଇବା ପାଇଁ କାହାଣୀ ମଧ୍ୟ ରଚା ଯାଉଛି l
ସବୁଠାରୁ ବଡ଼ ଭୟଙ୍କର କଥା ହେଉଛି ଆଜି ଅପରାଧୀଙ୍କ ମନରେ ଆଇନର ଭୟ ନାହିଁ l ଆଜି ସମଗ୍ର ଓଡ଼ିଶାର ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ, ଓଡ଼ିଶାର ମହିଳାମାନେ କେଉଁଠି ସୁରକ୍ଷିତ ? କାହିଁକି ଅଭିଯୋଗ ପରେ ମଧ୍ୟ ନ୍ୟାୟ ପାଉନାହାନ୍ତି ? କାହିଁକି ଅପରାଧୀ ମାନେ ଖୋଲାଖୋଲି ବୁଲୁଛନ୍ତି ? କାହିଁକି ଆଜି ସମଗ୍ର ଓଡ଼ିଶାରେ ଆତଙ୍କର ବାତାବରଣ ? ଆଜି ଏପରି ଲାଗୁଛି, ଓଡ଼ିଶାର ପୁଲିସ କେବଳ ଭିଆଇପି ପ୍ରୋଟୋକଲ ଏବଂ ଟ୍ରାଫିକ ଜରିମାନା ଆଦାୟ କରିବାରେ ନିୟୋଜିତ, ସେ ଆହୁରି ମଧ୍ୟ କହିଥିଲେ, ଯେତିକି ପୋଲିସ କଂଗ୍ରେସ ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବାକୁ ନିୟୋଜିତ ହୋଇଥିଲେ ତାହାର କିଛି ଭାଗ ଯଦି ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ଉପଯୋଗ କରିପାରନ୍ତା ତେବେ କାହାରି ଜୀବନ ପ୍ରଦୀପ ଲିଭନ୍ତା ନାହିଁ ବୋଲି ଡଃ ପଟ୍ଟନାୟକ ପ୍ରକାଶ କରିଥିଲେ l
ମହିଳା କଂଗ୍ରେସ ଗଣମାଧ୍ୟମ ଅଧ୍ୟକ୍ଷା ଜୟସ୍ମିତା ମହାନ୍ତି କହିଲେ, ଆମେ ବିଭିନ୍ନ ଘଟଣାସ୍ଥଳକୁ ଅନୁଧ୍ୟାନ କରି ଯାଇଥିଲୁ ଯାହା ଦେଖି ଆମର ହୃଦୟ ବ୍ୟତୀତ ହୋଇଛି l ପୋଲିସର ନିଷ୍କ୍ରିୟତା ପାଇଁ ଏକ ଗର୍ଭବତୀ ଓ ତିନିବର୍ଷର ଶିଶୁର ମାଆ ବିଭତ୍ସ ହତ୍ୟାର ଶିକାର ହେଲା l ଗତ କିଛିଦିନ ଭିତରେ ଅନେକ ଲୋମଟାଙ୍କୁରା ହତ୍ୟା ଓ ଭିଡ଼ ହତ୍ୟା ଘଟିଯାଇଛି ଏବଂ ଏହା ଯଦି ପୋଲିସ ପ୍ରଶାସନର ଉପଲବ୍ଧି ତେବେ ସେମାନଙ୍କୁ ଫୁଲମାଳ ଦେଇ ସମ୍ମାନିତ କରିବା ଉଚିତ ବୋଲି ଶ୍ରୀମତୀ ମହାନ୍ତି କହିଥିଲେ l ସମ୍ମିଳନୀରେ ଉପସ୍ଥିତ ମହିଳା କଂଗ୍ରେସ ଉପସଭାପତି ଜୟଶ୍ରୀ ପଟ୍ଟନାୟକ କହିଲେ, ବର୍ତ୍ତମାନର ସରକାର ଏକ ମାତୃହନ୍ତା ସରକାର l ଜଣେ ମାଆ ହିସାବରେ ଆମ ହୃଦୟ ଆଜି ଦୁଃଖରେ ଫାଟି ପଡୁଛି l ସୌମ୍ୟର ମାଆ କଥା ଟିକିଏ ଚିନ୍ତା କରନ୍ତୁ କିଭଳି ଅବସ୍ଥା ତାଙ୍କରି ଥିବ l ସରକାର କଣ ଏତେ ସମ୍ବେଦନହୀନ ? ଯଦି ସାଧାରଣ ଜନତା ଓ ନାରୀଙ୍କ ପ୍ରତି ସମ୍ବେଦନା ନାହିଁ ତେବେ ଶାସନ ଗାଦୀ ତ୍ୟାଗ କରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଥିଲେ l










