ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟକୁ ୫୦ ଟଙ୍କା ବୃଦ୍ଧି କରାଯାଇଛି । ସରକାରୀ ଉଦ୍ୟୋଗରେ ପରିଚାଳିତ ତିନିଟି ତେଲ କମ୍ପାନୀ ଯଥା ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ପକ୍ଷରୁ ଏ ପ୍ରସଙ୍ଗରେ ବିଜ୍ଞପ୍ତି ଜାରି କରାଯାଇଛି । ତେଲ କମ୍ପାନୀ ପକ୍ଷରୁ ୨୦୨୨ ଜୁଲାଇ ୪ରେ ଶେଷଥର ପାଇଁ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରାଯାଇଥିଲା । ମୂଲ୍ୟବୃଦ୍ଧି ଯୋଗୁଁ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ୧୪.୨ କିଲୋ ଓଜନ ବିଶିଷ୍ଟ ଗ୍ୟାସ୍ ସିିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କାରୁ ୧୧୦୩ ଟଙ୍କାରେ ପହଞ୍ଚିଛି । ଅପରପକ୍ଷରେ ମୁମ୍ବାଇରେ ଏହା ୧୧୦୨.୫୦ ଟଙ୍କା, କୋଲକାତାରେ ୧୧୨୯ ଟଙ୍କା ଏବଂ ଚେନ୍ନାଇରେ ୧୧୧୮.୫୦ ଟଙ୍କାରେ ଉପଲବ୍ଧ ହେବ । ଉଜ୍ଜ୍ୱଳା ଯୋଜନାରେ ସାମିଲ ନଥିବା ଅଧିକାଂଶ ଉପଭୋକ୍ତାଙ୍କୁ ଗ୍ୟାସ୍ ସିଲିଣ୍ଡରରେ ବର୍ତ୍ତମାନ ସବ୍ସିଡି ପ୍ରଦାନ କରାଯାଉନାହିଁ ।
ଅବଶ୍ୟ ଉଜ୍ଜ୍ୱଳା ଯୋଜନାଭୁକ୍ତ ପ୍ରାୟ ୯.୫୮ କୋଟି ଉପଭୋକ୍ତାଙ୍କୁ ସରକାର ସିଲିଣ୍ଡର ପିଛା ୨୦୦ ଟଙ୍କାର ସବ୍ସିଡି ପ୍ରଦାନ କରୁଛନ୍ତି । ବର୍ତ୍ତମାନ ସେମାନଙ୍କ ପାଇଁ ସିଲିଣ୍ଡର ମୂଲ୍ୟ ୯୦୩ ଟଙ୍କା ପଡିବ ବୋଲି କୁହାଯାଇଛି । ଏଥିସହିତ ହୋଟେଲ ଓ ରେସ୍ତୋରାଁରେ ବ୍ୟବହୃତ ହେଉଥିବା ୧୯ କିଲୋ ଓଜନ ବିଶିଷ୍ଟ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟକୁ ୩୫୦.୫୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୧୧୯.୫୦ ଟଙ୍କାରେ ପହଞ୍ଚିଛି । ଅପରପକ୍ଷରେ ବିମାନରେ ବ୍ୟବହୃତ ହେଉଥିବା ଏଟିଏଫ୍ (ଆଭିଏସନ ଟର୍ବାଇନ ଫୁଏଲ) ମୂଲ୍ୟକୁ କିଲୋଲିଟର ପିଛା ୪୬୦୬.୫୦ ଟଙ୍କା ହ୍ରାସ କରାଯାଇଛି । ଫଳରେ ଦିଲ୍ଲୀରେ ଏଟିଏଫ୍ ମୂଲ୍ୟ କିଲୋଲିଟର ପିଛା ୧,୦୭,୭୫୦.୨୭ ଟଙ୍କାକୁ ହ୍ରାସ ପାଇଛି । ତେବେ ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖିଛନ୍ତି।