ଭୁବନେଶ୍ୱର: ମାଲକାନଗିରି, ସୁନ୍ଦରଗଡ଼ ଏବଂ ବଲାଙ୍ଗିର ଜିଲ୍ଲା ଗସ୍ତକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୩ ଜିଲ୍ଲା ଗସ୍ତ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଦଶହରା ପୂର୍ବରୁ ଗଜପତି, ପୁରୀ ଏବଂ ଦେବଗଡ଼ ଜିଲ୍ଲା ଗସ୍ତ କରି ସେଠାରେ ସ୍ମାର୍ଡ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସାଙ୍ଗକୁ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ଆସନ୍ତା ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ୪୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଏହାପରେ ୭ ତାରିଖରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଏବଂ ୯ ତାରିଖରେ ଦେବଗଡ଼ ଗସ୍ତ କରିବେ । ଉଭୟ ସ୍ଥାନରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସାଙ୍ଗକୁ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନ୍ୱାର ବିଶାଲ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶନିବାର ବ୍ରହ୍ମଗିରି ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ୩ ଜିଲ୍ଲା ଗସ୍ତ ସାରି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବା ନେଇ ସ୍ଥିର ହୋଇଛି ।