ତେହେରାନ: ପୁଣି ସାମ୍ନାକୁ ଆସିଲା ଇରାନ ସରକାରଙ୍କ ନୃଶଂସତା । ଦୁର୍ନୀତି ମାମଲାରେ ଦୋଷୀକୁ ସର୍ବସମ୍ମୁଖରେ ଫାଶୀ ଖୁଣ୍ଟରେ ଝୁଲାଇଲେ ସରକାର । ଗତକାଲି ଇରାନର ମାରଘେହ ସହରରେ ଜଣକୁ ସମସ୍ତଙ୍କ ସାମ୍ନାରେ ଫାଶୀଦଣ୍ଡ ଦିଆଯାଇଛି । ଇରାନ ଇଣ୍ଟରନ୍ୟାସନାଲ ନାମକ ଏକ ଫରାସୀ ନ୍ୟୁଜ ଚ୍ୟାନେଲ ରିପୋର୍ଟରୁ ଏହି ଖବର ମିଳିଛି । ‘ପୃଥିବୀରେ ଦୁର୍ନୀତି କରିବା’ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ମାରଘେହର ପ୍ରୋସିକ୍ୟୁଟର ମହମୁଦ ନେମାତୀଙ୍କ ଅନୁସାରେ, ସେହି ବ୍ୟକ୍ତି ଜଣକ ଦୁର୍ନୀତି ପ୍ରସାର କରିବା, ମହିଳା ଓ ଯୁବତୀଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରିବା ଏବଂ ଧୋକାରେ ସେମାନଙ୍କ ଫିଲ୍ମ ତିଆରି କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସମ୍ବାଦ ସରବରାହ ସଂସ୍ଥା ଓଇଘଝ ରିପୋର୍ଟ ଅନୁସାରେ, ୧୯୯୫ରେ ଅଭିଯୁକ୍ତକୁ ଗିରଫ କରାଯାଇ ମାରଘେହ ଜେଲ୍ ପଠାଯାଇଥିଲା । ଇରାନର ନ୍ୟାୟପାଳିକା ତାକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ । ତେବେ ସର୍ବସମ୍ମୁଖରେ ଜଣକୁ ଫାଶୀ ଦେବା ଘଟଣାକୁ ନରୱେର ଇରାନ ମାନବାଧିକାର ସଂଗଠନ କଡା ନିନ୍ଦା କରିଛି । ଏଭଳି ଭାବେ ମୃତ୍ୟୁଦଣ୍ଡ ଦେବା ଇରାନ ସରକାରଙ୍କ ଅସଲ ଚେହେରାକୁ ଦେଖାଉଛି । ଯିଏକି ସମାଜରେ କ୍ରୁରତା, ଅପମାନ ଓ ଲୋକଙ୍କୁ ଡରାଇ ଧମକାଇ ଶାସନ କାଳକୁ ଲମ୍ବା କରୁଛନ୍ତି ।
ଆଇଆରଏଚର ନିର୍ଦ୍ଦେଶକ ମହମ୍ମୁଦ ଅମୀରି ମୋଘାଦାମ ଫାଶୀ ପାଇବାକୁ ଯାଉଥିବା ବ୍ୟକ୍ତିର ଫୋଟ ଟ୍ୱିଟ୍ କରି ଏହି ବର୍ବରୋଚିତ କାର୍ଯ୍ୟକୁ ଆତଙ୍କବାଦର ଆଖ୍ୟା ଦେଇଛନ୍ତି ଏବଂ ଇରାନବାସୀ ଏହାକୁ ତୀବ୍ର ନିନ୍ଦା କରିବା ଉଚିତ୍ ବୋଲି କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଇସଲାମିକ ଷ୍ଟେଟ ଟେରର ଗ୍ରୁପ ଓ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇ ମଧ୍ୟରେ ପାର୍ଥକ୍ୟ ଏତିକି ଯେ, ଆଇଏସକୁ ଆତଙ୍କୀ ସଂଗଠନ କୁହାଯାଉଛି ଏବଂ ଖାମେନେଇଙ୍କ ଇସଲାମିକ ରିପବ୍ଲିକ ଖୁବଶୀଘ୍ର ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦ ସୋସିଆଲ ଫୋରମର ଅଧ୍ୟକ୍ଷତା କରିବାକୁ ଯାଉଛି । ତେବେ ଆଇଏଚଆର ପକ୍ଷରୁ ପୋଷ୍ଟ କରାଯାଇଥିବା ଫଟୋରେ ଦେଖାଯାଇଛି, ଜଣେ ବ୍ୟକ୍ତିଙ୍କ ଆଖିରେ କଳାପଟି ବନ୍ଧା ଯାଇଛି ଏବଂ ତାଙ୍କର ଦୁଇପଟେ ଦୁଇ ଜଣ ଜହ୍ଲାଦ ଛିଡା ହୋଇଛନ୍ତି । ମାନବାଧିକାର ସଂଗଠନ ଅନୁଯାୟୀ, ଇରାନରେ ଚଳିତ ବର୍ଷ କେବଳ ୨୭୩ ଜଣଙ୍କୁ ଫାଶୀଦଣ୍ଡ ଦିଆଯାଇଛି । ୨୦୧୦ ମସିହା ପରଠୁ ଏହି ଦେଶରେ ମୋଟ ୭ ହଜାର ୨୬୪ ଜଣ ଫାଶୀରେ ଝୁଲିଛନ୍ତି ।