ନୂଆଦିଲ୍ଲୀ : ରାସ୍ତା କଡ଼ରେ ବହୁ ଲୋକ ଦେଖୁଛନ୍ତି। କେହି କେହି ବୀଭତ୍ସ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଛନ୍ତି; କିନ୍ତୁ ଉଦ୍ଧାର ପାଇଁ ଆସୁନାହାନ୍ତି। ଏଭଳି ସ୍ଥିତିରେ ଜଣେ ଯୁବକ ନିଜ ନାବାଳିକା ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସି ଏବଂ ପଥରରେ ଛେଚି ହତ୍ୟା କରୁଛି। ରାସ୍ତା କଡ଼ରେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲେ ମଧ୍ୟ କେହି ସହାୟତା ପାଇଁ ଆଗେଇ ଆସୁନାହାନ୍ତି। ଏଭଳି ଏକ ଅମାନବୀୟ ତଥା ନୃଶଂସ ଘଟଣା କେବଳ ଦିଲ୍ଲୀ ନୁହେଁ ସାରା ଦେଶକୁ ଦୋହଲାଇ ଦେଇଛି।
ଦିଲ୍ଲୀ ପୁଲିସ ହତ୍ୟାକାରୀ ପ୍ରେମିକକୁ ଧରିବା ସହ ଦେଖଣାହାରୀ ଅମଣିଷଙ୍କୁ ତୀବ୍ର ନିନ୍ଦା କରିଛି। ଦେଖଣାହାରୀ ଏଭଳି କ୍ଷେତ୍ରରେ ମୁହିଁମୋଡ଼ି ଚାଲିଯିବା ବଦଳରେ ସାହାଯ୍ୟ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି ସ୍ବତନ୍ତ୍ର ପୁଲିସ କମିସନର ଦୀପେନ୍ଦ୍ର ପାଠକ। ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଭିଡିଓରୁ ଅଭିଯୁକ୍ତ ପ୍ରାୟ ୨୧ଥର ଛୁରି ଭୁସିଥିବା ଓ ସେଠାରେ ପଡ଼ିଥିବା ପଥର ଆଣି ବାରମ୍ବାର ମୁଣ୍ଡକୁ ଛେଚୁଥିବା ଦେଖାଯାଉଥିଲେ ମଧ୍ୟ ଯୁବତୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ୧୬ ଛୁରିକାଘାତର ପ୍ରମାଣ ମିଳିଥିବାବେଳେ ମୁଣ୍ଡ ଖପୁରି ଭାଙ୍ଗିଯାଇଥିବା ଜଣାପଡ଼ିଛି।