17.7 C
Bhubaneswar
Friday, December 27, 2024
Homeଓଡିଶାପାୱାର ଚ୍ୟାନେଲ୍‌ରୁ ଭିସୁଟ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; ପୁରୁଷ ବନ୍ଧୁଙ୍କ ସମେତ ୨ ଜଣଙ୍କ ନାଁରେ...

ପାୱାର ଚ୍ୟାନେଲ୍‌ରୁ ଭିସୁଟ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; ପୁରୁଷ ବନ୍ଧୁଙ୍କ ସମେତ ୨ ଜଣଙ୍କ ନାଁରେ ହତ୍ୟା ମାମଲା

ସମ୍ବଲପୁର: ମଙ୍ଗଳବାର ବୁର୍ଲା ପାୱାର ଚ୍ୟାନେଲକୁ ଡେଇଁ ପଡ଼ିଥିବା ଭିସୁଟ୍‌ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କର ମୃତଦେହ ଆଜି ଉଦ୍ଧାର ହୋଇଛି । ବୁଧବାର ସକାଳେ ପାୱାର ଚେନେଲ୍ ନିକଟରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛି । ଚିନ୍ମୟୀ ଭିସୁଟରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ବ୍ରାଞ୍ଚରେ ପାସଆଉଟ୍ ହୋଇଥିଲେ । କାଲି ଥିଲା ଭିସୁଟର ସମାବର୍ତ୍ତନ ଉତ୍ସବ । ଯେଉଁ ଉତ୍ସବକୁ ଆସିଥିଲେ ଚିନ୍ମୟୀ । ସାର୍ଟିଫିକେଟ୍ ପାଇଥିଲେ । ଖୁସୀରେ ଫଟୋ ବି ଉଠାଇଥିଲେ । ଏହି ସମାବର୍ତ୍ତନ ଉତ୍ସବକୁ ଚିନ୍ମୟୀଙ୍କ ସହପାଠୀ ତଥା ବନ୍ଧୁ ପ୍ରୀତିମାନ ଦେ’ ବି ଆସିଥିଲେ । ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା । ଅପରାହ୍ନରେ ଭିସୁଟ ପାଖ ସମ୍ବଲପୁରୀ ଢାବାରେ ଦୁହେଁ ଖିଆପିଆ ବି କରିଥିଲେ । ଅନ୍‌ଲାଇନ୍ ବିଲ୍ ପୈଠ କରିଥିଲେ ଚିନ୍ମୟୀ । ଏହାପରେ ରାତିରେ ଚିନ୍ମୟୀ ବସରେ ଭୁବନେଶ୍ୱର ଫେରିବାର ଥିଲା । ସନ୍ଧ୍ୟାରେ ପ୍ରୀତିମାନ ଦେ’ଙ୍କ ସହିତ ସେ ପାୱାର ଚ୍ୟାନେଲ ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ । ବ୍ରିଜ୍ ଉପରେ ବାଇକ୍ ରଖି କଥାବାର୍ତ୍ତା କରୁଥିବା ବେଳେ ଅଚାନକ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ ବୋଲି ପ୍ରୀତିମାନ୍ କହୁଛନ୍ତି । ଅନ୍ୟପକ୍ଷରେ ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁଙ୍କ କହିବା କଥା, ରାତିରେ ଝିଅକୁ ଫୋନ କରିଥିଲେ ।

ସେହି ସମୟରେ ଫୋନରେ ଅଜବ ଶୁଭୁଥିଲା ଚିନ୍ମୟୀଙ୍କ ସ୍ୱର । ସେ ଠିକ୍ ଭାବେ କଥା କହିପାରୁ ନ ଥିଲା । ପାଖରେ କିଛି ଲୋକଙ୍କ ପାଟିତୁଣ୍ଡ ଶୁଣା ଯାଉଥିଲା । ଆଉ ଆଜି ମୃତଦେହ ମିଳିବା ସହ ବେକ ଓ ଶରୀରର କିଛି ସ୍ଥାନରେ ଦାଗ ଥିବାରୁ ଝିଅକୁ ତଣ୍ଟିଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ସହପାଠୀ ପ୍ରୀତିମାନଙ୍କ ଭୁବନେଶ୍ୱରସ୍ଥିତ ଘରପାଖରେ ରହୁଥିଲେ ଚିନ୍ମୟୀ । ଉଭୟ ସିଡିଏସ୍‌, ଓପିଏସ୍‌ସି ଭଳି ନାନା କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇବା ସହ କୋଚିଂ ନେଉଥିଲେ ।

ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁ କହିଛନ୍ତି, ଝିଅ ମାନସୀକସ୍ତରରେ ଖୁବ୍ ଦୃଢ଼ । ଜଣେ ଅଧେ ଲୋକ ଆକ୍ରମଣ କରିଥିଲେ ସେ ସାବାଡ଼ କରିଦେବା କ୍ଷମତା ରଖିଥିଲା । ହେଲେ ତାକୁ କେହି ଅତର୍କିତ ଆକ୍ରମଣ କରିଛି । ତା ବେକକୁ ଚିପି ଦେଇଥିବା ଚେନ୍ ଦାଗ ରହିଛି । ଗୃହ ବିଭାଗରେ ଯୁଗ୍ମ ସଚିବ ଥିବା ପ୍ରୀତିମାନଙ୍କ ବାପା ପ୍ରଣବ କୁମାର ଦେ’ କହିଛନ୍ତି, ଉଭୟେ ଭଲ ବନ୍ଧୁ ଥିଲେ । ପୁଲିସ ନିରପେକ୍ଷ ଭାବେ ତଦନ୍ତ କରୁ । ଅଭିଯୋଗ ଆଧାରର ପ୍ରୀତିମାନଙ୍କ ସମେତ ୨ ଜଣଙ୍କ ନାଁରେ ଆଇପିସି ଧାରା ୩୦୨ ଓ ୨୦୧ରେ ମାମଲା ରୁଜୁ ହୋଇଛି । କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁରରେ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ଘର । ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାଶ କହିଛନ୍ତି, ଏହି ମାମଲାରେ ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି । ପୂରା ଘଟଣାର ଟିକନିଖ ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking