ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ଟେଡ୍ ଡେକ୍ସଟର୍ଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମ୍ସିସି) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ତାଙ୍କୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ଲିଡ୍ସ ଟେଷ୍ଟର ଦ୍ୱିତୀୟ ଦିନ ଇଂଲିଶ ଖେଳାଳି ହାତରେ କଳାପଟି ବାନ୍ଧିଥିଲେ । ଏମ୍ସିପି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ନିକଟରେ ଅସୁସ୍ଥ ଥିବା ଟେଡ୍ଙ୍କର ବୁଧବାର ଦିପହରରେ ୱଲ୍ଭହାମ୍ପଟନ୍ର କମ୍ପଟନ୍ ହସ୍ପିସ୍ରେ ପରଲୋକ ହୋଇଥିଲା । ଏହି ସମୟରେ ତାଙ୍କ ପରିବାର ସଦସ୍ୟ ସେଠାରେ ଉପସ୍ଥିତ ଥିଲେ ।
“ଲର୍ଡ ଟେଡ୍’ ଭାବେ ଜଣାଶୁଣା ଡେକ୍ସଟର୍ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଓ ପାର୍ଟଟାଇମ୍ ସିମ୍ ବୋଲର୍ ଥିଲେ । ୧୯୫୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ଡେକ୍ସଟର୍ ୧୯୫୮ ଓ ୧୯୬୮ ମଧ୍ୟରେ ଇଂଲଣ୍ଡ ପକ୍ଷରୁ ୬୨ ଟେଷ୍ଟ ଖେଳିଥିଲେ । ଏହା ମଧ୍ୟରୁ ୩୦ଟି ମ୍ୟାଚ୍ରେ ସେ କ୍ୟାପ୍ଟେନ୍ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସେ ୪୭.୮୯ ହାରରେ ୪୫୦୨ ରନ୍ ସଂଗ୍ରହ କରିବା ସହ ୬୬ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ପେସ୍ ବୋଲର୍ଙ୍କୁ ଚାପଗ୍ରସ୍ତ କରିବାରେ ଜଣାଶୁଣା ଟେଡ୍ ଡେକ୍ସଟର୍ ୯ ଶତକ ହାସଲ କରିଥିଲେ, ଯାହା ମଧ୍ୟରେ ୬ଟି ଇନିଂସ୍ରେ ତାଙ୍କ ସ୍କୋର୍ ୧୪୦ ରନ୍ରୁ ଅଧିକ ଥିଲା ।
ଚଳିତ ବର୍ଷ ତାଙ୍କୁ କ୍ରିକେଟ୍ ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇଥିଲା । ୧୯୮୯ରୁ ୧୯୯୩ ମଧ୍ୟରେ ସେ ଇଂଲଣ୍ଡର ସିଲେକ୍ଟନ୍ କମିଟିର ଅଧ୍ୟକ୍ଷ ଥିବା ଡେକ୍ସଟର୍ ଏମ୍ସିସିର ଅଧ୍ୟକ୍ଷ ମଧ୍ୟ ଥିଲେ । କ୍ରିକେଟ୍ରୁ ସନ୍ନ୍ୟାସ ନେବା ପରେ ସାମ୍ବାଦିକତା ଓ କମେଣ୍ଟେଟର୍ ଭୂମିକରେ ଅବତୀର୍ଣ୍ଣ ହୋଇଥିଲେ । ଟେଷ୍ଟ ଖେଳାଳିଙ୍କ ର୍ୟାଙ୍କିଙ୍ଗ୍ ପ୍ରଣାଳୀ ପ୍ରବର୍ତ୍ତନ କରିଥିଲେ, ଯାହାକୁ ୨୦୦୩ରେ ଆଇସିସି ଆପଣାଇଥିଲା । ଏହାର ଆଧାର ହିଁ ବର୍ତ୍ତମାନର ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ ପ୍ରଚଳିତ ହେଉଛି । ଡେକ୍ସଟର୍ ୧୯୫୬ରୁ ୧୯୬୮ ମଧ୍ୟରେ ନିଜର ପ୍ରଥମ ଶ୍ରେଣୀ କ୍ୟାରିୟର୍ରେ ୨୧୦୦୦ରୁ ଅଧିକ ରନ୍ ସଂଗ୍ରହ କରିବା ବ୍ୟତୀତ ୪୧୯ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ଆଇସିସି ଓ ଏମ୍ସିସି ଟେଡ୍ ଡେକ୍ସଟର୍ଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି ।