ରାୟଗଡା: ଟେଷ୍ଟ ଡ୍ରାଇଭିଂ ପାଇଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁର୍ଘଟଣା ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁନିସିଂ ଛକ ନିକଟରେ ଘଟିଛି । ମୃତକ ଜଣଙ୍କ ବିହାରର ରାଜ୍ୟର ହୋଇଥିବା ବେଳେ ଏଯାଏଁ ତାଙ୍କ ପରିଚୟ ମିଳିପାରିନି । ଆଜି ସକାଳୁ ଜେକେପୁରରେ ଥିବା ସୋନାଲିକା ସୋରୁମରୁ ବ୍ୟକ୍ତି ଜଣଙ୍କଟ୍ଟଷ୍ଟ ଡ୍ରାଇଭ ପାଇଁ ଟ୍ରାକ୍ଟର ନେଇଥିଲେ ।ତେବେ ମୁନିସିଂ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟିପଡିଥିଲା । ଫଳରେ ଡ୍ରାଇଭର ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିଲେ । ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ମୃତକଙ୍କ ପରିଚୟ ବାହାର କରି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।










