ନୂଆଦିଲ୍ଲୀ: ବିପଦ ବେଳେ ବିପରୀତ ବୁଦ୍ଧି..ସାଙ୍ଗକୁ ମାରି ନିଜକୁ ମୃତ ଦର୍ଶାଇଲା ଅଭିଯୁକ୍ତ । ୪ କୋଟିର ଇନସୁରାନ୍ସ ଟଙ୍କା ପାଇବା ପାଇଁ ଦୀର୍ଘ ଦିନର ବନ୍ଧୁକୁ ଟ୍ରକ୍ ଆଗକୁ ଠେଲିଦେଲା ସଇତାନ ସାଙ୍ଗ । ଅଣ୍ଟି ଛୁରୀ ତଣ୍ଟି କାଟେ ଭଳି କାଣ୍ଡ ଘଟାଇଲା ଅଭିଯୁକ୍ତ । ଏଭଳି ଅମାନବୀୟ ଘଟଣା ପଞ୍ଜାବରେ ଘଟିଛି । ଏହି ଘଟଣାର ଅଭିଯୁକ୍ତ ଗୁରପ୍ରୀତ ସିଂହଙ୍କୁ ପୋଲିସ୍ ଗିରଫ କରିବା ପରେ ବଖାଣିଲା ଘଟଣା ପଛର ସାଂଘାତିକ ସତ । ଏହି ମାମଲାରେ ପୋଲିସ ଗୁରପ୍ରିତଙ୍କ ସମେତ ତାଙ୍କ ପତ୍ନୀ ଜୀବନଦୀପ୍ କୋର୍ ଏବଂ ଆଉ ୪ ଜଣଙ୍କୁ ଗିରଫ କରିଛି । ପଞ୍ଜାବର ରାମଦାସ ନଗର ଅଞ୍ଚଳରେ ଗୁରୁପ୍ରୀତ ସିଂ ବିଜନେସ୍ କରୁଥିବା ବେଳେ ସେଥିରେ ବ୍ୟାପକ କ୍ଷତି ହେବାରୁ ତାଙ୍କର ଆର୍ôଥକ ସ୍ଥିତି ଟଳମଳ ହୋଇପଡ଼ିଥିଲା ।
ଏଥରୁ ବର୍ତ୍ତିବା ପାଇଁ ଗୁରପ୍ରୀତ, ତାଙ୍କ ପତ୍ନୀ ଜୀବନଦୀପ୍ ଏବଂ ଆଉ ୪ ଜଣ ବନ୍ଧୁ ଏକ ପ୍ଲାନ୍ ରଚିଥିଲେ । ଯଦି ଗୁରପ୍ରିତ ନିଜକୁ ମୃତ ଦର୍ଶାଉଛନ୍ତି, ତେବେ ଏହି ବାବଦକୁ ତାଙ୍କୁ ୪ କୋଟି ଟଙ୍କା ମିଳିବ । ଏହି ପ୍ଲାନ୍କୁ ସଫଳ କରିବା ପାଇଁ ସେ ନିଜ ସାଙ୍ଗ ସୁଖଜିତ୍ ସିଂଙ୍କୁ ଟାର୍ଗେଟ କଲେ । ସୁଖଜିତ୍ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ । ପୋଲିସ୍ ଖୋଜାଖୋଜି ଆରମ୍ଭ କରିବା ପରେ କେନାଲ ନିକଟରୁ ସୁଖବିନ୍ଦରଙ୍କ ବାଇକ୍ ଓ ଚପଲ ଉଦ୍ଧାର କରିଥିଲା । ପ୍ରଥମେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ୍ ସନ୍ଦେହ କରିଥିଲା । ମାମଲାର ତଦନ୍ତ ବେଳେ ଏକ ସୁଖଜିତଙ୍କ ସ୍ତ୍ରୀ କହିଥିଲେ ଯେ, ଗୁରୁପ୍ରୀତ ସିଂ କିଛି ଦିନ ଧରି ସୁଖଜିତ୍ଙ୍କୁ ମାଗଣାରେ ମଦ ଦେଉଥିଲେ । ଏହାର କିଛିଦିନ ମଧ୍ୟରେ ସୁଖଜିତ ନିଖୋଜ ହୋଇଥିବା ନେଇ ତାଙ୍କ ପତ୍ନୀ ପୋଲିସ୍କୁ କହିଥିଲେ ।
ଏହାପରେ ପୋଲିସ ଗୁରପ୍ରୀତଙ୍କ ଘରକୁ ପଚରାଉଚରା କରିବାକୁ ପହଞ୍ଚିଥିଲା । ଗୁରପ୍ରୀତ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଥା ତାଙ୍କ ପତ୍ନୀ ଜୀବନଦୀପ୍ ପୋଲିସକୁ କହିଥିଲେ । ଜୀବନଦୀପଙ୍କ କଥାଟି ଅଡୁଆ ଲାଗିବାରୁ ପୋଲିସ ଗୁରପ୍ରୀତଙ୍କ ପରିବାର ସଦସ୍ୟଙ୍କୁ ଗୁଡ଼ାଇତୁଡ଼ାଇ ପଚରାଉଚରା କରିଥିଲା । ଶେଷରେ ଗୁରପ୍ରୀତ ଜୀବିତ ଥିବା କଥା ପୋଲିସ ଜାଣିପାରିଥିଲା । ୪କୋଟି ଇନସୁରାନ୍ସ ଟଙ୍କା ହାତେଇବା ପାଇଁ ଏଭଳି ଷଡଯନ୍ତ୍ର ରଚାଯାଇଥିବା ଜଣାପଡ଼ିଥିଲା । ପୋଲିସର କହିବାନୁଯାୟୀ ଗତ ୧୯ ତାରିଖରେ ଗୁରପ୍ରୀତ ନିଜ ସାଙ୍ଗ ସୁଖଜିତଙ୍କୁ ଡାକି କିଛି ପାନୀୟ ପିଇବାକୁ ଦେଇଥିଲେ । ସେଥିରେ ସେ ନିଶା ମିଶାଇ ଦେଇଥିଲେ । ଫଳରେ ସୁଖଜିତ ଅଚେତ ହୋଇଯିବାରୁ ଗୁରପ୍ରୀତ ତାଙ୍କୁ ନିଜ ଡ୍ରେସ୍ ପିନ୍ଧାଇ ଦେଇଥିଲେ । ଏହାପରେ ଯେପରି କେହି ମୃତଦେହ ଚିହ୍ନଟ କରି ନକରିପାରିବେ ସେଥିପାଇଁ ରାତି ଅଧରେ ଟ୍ରକ୍ ଚକା ତଳକୁ ନିଜ ସାଙ୍ଗଙ୍କୁ ଠେଲି ଦେଇଥିଲେ । ଏହାପରେ ଗୁରପ୍ରୀତଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।