ନୂଆଦିଲ୍ଲୀ: ଆସନ୍ତା ମାସରେ ସାଉଥ୍ ଆଫ୍ରିକା ଗସ୍ତ ପାଇଁ ଗୁରୁବାର ଟିମ୍ ଇଣ୍ଡିଆ ଘୋଷିତ ହୋଇଛି । ନୂଆଦିଲ୍ଲୀରେ ଚୟନ କମିଟି ବୈଠକରେ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସମସ୍ତ ତିନିଟି ଯାକ ଫର୍ମାଟ୍ ପାଇଁ ଟିମ୍ ଘୋଷଣା କରିଛନ୍ତି । ସାଉଥ୍ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆ ତିନି ଟି-୨୦, ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ଟି-୨୦ ସିରିଜ୍ ପାଇଁ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ନେତୃତ୍ୱ ନେଉଥିବା ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଛି । ସେହିପରି ଦିନିକିଆ ସିରିଜ୍ ପାଇଁ କେଏଲ୍ ରାହୁଲ ଓ ଟେଷ୍ଟ ସିରିଜ୍ ପାଇଁ ରୋହିତ ଶର୍ମାଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅନୁରୋଧକ୍ରମେ ସେମାନଙ୍କୁ ହ୍ୱାଇଟ୍ ବଲ୍ ଫର୍ମାଟ୍ରୁ ବିଶ୍ରାମ ଦିଆଯାଇଛି । ଜସ୍ପ୍ରୀତ୍ ବୁମ୍ରାଙ୍କୁ ମଧ୍ୟ ଏହି ଦୁଇଟି ଫର୍ମାଟ୍ରୁ ବିଶ୍ରାମ ଦିଆଯାଇଛି ।
ଟେଷ୍ଟ୍ ଟିମ୍ରେ ସାମିଲ ମହମ୍ମଦ ଶମୀ ଏବେ ଚିକିତ୍ସାଧୀନ ଥିବାରୁ ଫିଟ୍ନେସ୍ ଉପରେ ତାଙ୍କ ଉପଲବ୍ଧତା ନିର୍ଭର କରୁଛି । ଜସ୍ପ୍ରୀତ୍ ବୁମ୍ରାଙ୍କୁ ରୋହିତ ଶର୍ମାଙ୍କ ଡେପୁଟୀ ନିଯୁକ୍ତ କରାଯାଇଥିବା ବେଳେ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କୁ ପ୍ରଥମ ଥର ପାଇଁ ଟି-୨୦ ଟିମ୍ର ଭାଇସ୍ କ୍ୟାପ୍ଟେନ୍ କରାଯାଇଛି । ଆଶ୍ଚର୍ଯ୍ୟଜନ ଭାବେ ଅକ୍ଷର ପଟେଲ୍ଙ୍କୁ ଟି-୨୦ ଟିମ୍ରୁ ବାଦ୍ ଦିଆଯାଇଛି । ଟେଷ୍ଟ୍ ଟିମ୍ରୁ କେଏସ୍ ଭରତଙ୍କ ଛୁଟି ହୋଇଥିବା ବେଳେ ଏବେ ସ୍ପେଶାଲିଷ୍ଟ୍ ୱିକେଟ୍କିପର୍ ଭାବେ କେଏଲ୍ ରାହୁଲ ଓ ଈଶାନ୍ କିଶନ୍ ରହିବେ । ପେସର୍ ମୁକେଶ କୁମାର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ରେଡ୍ ବଲ୍ ଟିମ୍ରେ ସାମିଲ କରାଯାଇଥିବା ବେଳେ ଭେଟେରାନ୍ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କୁ ବାଦ୍ ଦିଆଯାଇଛି । ଖାସ୍ ବିଷୟ ହେଉଛି ଋତୁରାଜ ଗାଏକ୍ୱାଡ୍, ଯଶସ୍ୱୀ ଜୟସ୍ୱାଲ୍ ଓ ରିଙ୍କୁ ସିଂହଙ୍କୁ ସମସ୍ତ ଫର୍ମାଟ୍ରେ ସ୍ଥାନ ମିଳିଛି । ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ ଓ ୱିକେଟ୍କିପର୍ ବ୍ୟାଟର୍ ସଞ୍ଜୁ ସାମ୍ସନ୍ଙ୍କର ଦିନିକିଆ ଟିମ୍କୁ ପ୍ରତ୍ୟାବର୍ତ୍ତନ ଘଟିଛି । ଅନ୍ୟପକ୍ଷରେ ବି. ସାଇ ସୁଦର୍ଶନ ଓ ରିଙ୍କୁ ସିଂହଙ୍କୁ ଦିନିକିଆ ଟିମ୍ରେ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି ।
ଟିମ୍ ଇଣ୍ଡିଆର ସାଉଥ୍ ଆଫ୍ରିକା ଗସ୍ତ ଟି-୨୦ ସିରିଜ୍ରୁ ଆରମ୍ଭ ହେବ । ଏହାପରେ ଦିନିକିଆ ଓ ଟେଷ୍ଟ୍ ସିରିଜ୍ ଖେଳାଯିବ । ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୧୦ରେ ଡର୍ବାନ୍ରେ ଖେଳାଯିବ । ଏହା ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ଡିସେମ୍ବର ୧୨ ଓ ୧୪ ତାରିଖରେ ସେଣ୍ଟ୍ ଜର୍ଜ ପାର୍କ ଓ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବ । ଦିନିକିଆର ସିରିଜ୍ର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୯ରେ ଜୋହାନ୍ସବର୍ଗରେ ଖେଳାଯିବ । ଏହାପରେ ୧୯ରେ ସେଣ୍ଟ୍ ଜର୍ଜ ପାର୍କରେ ଏବଂ ୨୧ରେ ପର୍ଲରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୨୬ ତାରିଖରେ ପ୍ରଥମ ବକ୍ସିଂ ଡେ’ ଟେଷ୍ଟ ସେଞ୍ଚୁରିଅନ୍ରେ ଖେଳାଯିବ । ସେହିପରି ଦ୍ୱିତୀୟ ଟେଷ୍ଟ୍ କେପ୍ଟାଉନ୍ରେ ୨୦୨୪ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ସାଉଥ୍ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ଜିତିନାହିଁ । ତେଣୁ ସିରିଜ୍ ପୂର୍ବରୁ ପ୍ରସ୍ତୁତି ସ୍ୱରୂପ ଟିମ୍ ଇଣ୍ଡିଆ ଡିସେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ଇଣ୍ଟ୍ରା ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ପାଇଁ ମଧ୍ୟ ବିସିସିଆଇ ଟିମ୍ ଘୋଷଣା କରିଛି ।
ଟି-୨୦ ଟିମ୍: ଯଶସ୍ୱୀ ଜୟସ୍ୱାଲ୍, ଶୁବମନ ଗିଲ୍, ଋତୁରାଜ ଗାଏକ୍ୱାଡ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (କ୍ୟାପ୍ଟେନ୍), ରିଙ୍କୁ ସିଂହ, ଶ୍ରେୟସ୍ ଆୟର୍, ଈଶାନ୍ କିଶନ୍ (ୱିକେଟ୍କିପର୍), ଜିତେଶ ଶର୍ମା (ୱିକେଟ୍କିପର୍), ରବୀନ୍ଦ୍ର ଜାଡ଼େଜା (ଭାଇସ୍ କ୍ୟାପ୍ଟେନ୍), ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ୍, ମୁକେଶ କୁମାର, ଦୀପକ ଚହ ।
ଦିନିକିଆ ଟିମ୍: ଋତୁରାଜ ଗାଏକ୍ୱାଲ୍, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପାଟିଦାର, ରିଙ୍କୁ ସିଂହ, ଶ୍ରେୟସ୍ ଆୟର୍, କେଏଲ୍ ରାହୁଲ (କ୍ୟାପ୍ଟେନ୍), ସଞ୍ଜୁ ସାମ୍ସନ୍ (ୱିକେଟ୍କିପର୍), ଅକ୍ଷର ପଟେଲ୍, ୱାଶିଂଟନ୍ ସୁନ୍ଦର, କୁଲଦୀପ୍ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର ଆଭେସ୍ ଖାନ୍, ଅର୍ଶଦୀପ ସିଂହ, ଦୀପକ ଚହର୍ ।
ଟେଷ୍ଟ୍ ଟିମ୍: ରୋହିତ ଶର୍ମା (କ୍ୟାପ୍ଟେନ୍), ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର୍, ଋତୁରାଜ ଗାଏକ୍ୱାଡ୍, ଈଶାନ୍ କିଶନ୍ (ୱିକେଟ୍କିପର୍), କେଏଲ୍ ରାହୁଲ (ୱିକେଟ୍କିପର୍), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ୍, ମୁକେଶ କୁମାର, ମହମ୍ମଦ ଶମୀ, ଜସ୍ପ୍ରୀତ୍ ବୁମ୍ରା (ଭାଇସ୍ କ୍ୟାପ୍ଟେନ୍), ପ୍ରସିଦ୍ଧ କ୍ରିଷ୍ଣା ।