କାବୁଲ: ନୂତନ ସରକାର ଘୋଷଣା ହେବାର ଏକ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଆଫଗାନିସ୍ତାନରେ ତାଲିବାନ ଗୋଷ୍ଠୀ ମଧ୍ୟରେ ବିବାଦର ଅନ୍ତ ଘଟୁନାହିଁ । ତେଣୁ ନୂଆ ସରକାର ଶପଥ ନେବାରେ ଅହେତୁକ ବିଳମ୍ବ ଘଟୁଥିବା ଲକ୍ଷ୍ୟ କରାଯାଇଛି । ତେବେ କ୍ଷମତା ବଣ୍ଟନକୁୁ କେନ୍ଦ୍ରକରି ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁ ଘନି ବାରାଦର ଓ ଅନ୍ୟତମ ମନ୍ତ୍ରୀ ଖଲିଲ ଉର୍ ରେହମାନ ହକ୍କାନି ମୁହାଁମୁହିଁ ହୋଇଛନ୍ତି ବୋଲି ବିବିସି ସୂତ୍ରରୁ ଜଣାପଡିଛି । ନୂଆ କାମଚଳା ସରକାର ଗଠନ ପ୍ରସଙ୍ଗରେ ଗତ ସପ୍ତାହରେ ରାଷ୍ଟ୍ରପତି ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏ ଦୁଇ ନେତାଙ୍କ ମଧ୍ୟ ତୀବ୍ର ବାକ୍ୟ ବିନିମୟ ହୋଇଥିବା କୁହାଯାଇଛି ।
ବର୍ତ୍ତମାନ ଏହି ପ୍ରସଙ୍ଗରେ ତାଲିବାନ ଶିବିର ଦୁଇଭାଗରେ ବିଭକ୍ତ ହୋଇଛି ବୋଲି ଜଣେ ତୁଙ୍ଗ ନେତା ନିଜ ନାମ ଗୋପନ ରଖି କହିଛନ୍ତି। ନୂତନ ସରକାରରେ ହକ୍କାନି ଗୋଷ୍ଠୀର ଉପସ୍ଥିତିକୁ ତାଲିବାନ ପକ୍ଷରୁ ଘୋର ବିରୋଧ କରାଯାଉଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ପ୍ରତ୍ୟକ୍ଷ ଇଙ୍ଗିତରେ ପରିଚାଳିତ ହେଉଥିବା ହକ୍କାନି ଗୋଷ୍ଠୀର ପତିଆରାକୁ ସୀମିତ ରଖିବାକୁ ତାଲିବାନର ଗୋଟିଏ ଗୋଷ୍ଠୀ ଜିଦ ଧରିଛନ୍ତି । ନୂତନ ସରକାରରେ ସେମାନଙ୍କର ଏକାଧିକ ମନ୍ତ୍ରୀଙ୍କୁ ସାମିଲ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯାଉ ବୋଲି ହକ୍କାନି ଗୋଷ୍ଠୀ ଯେଉଁ ପ୍ରସ୍ତାବ ଦେଇଥିଲା, ତାହା ଅଗ୍ରାହ୍ୟ ହେବାପରେ ବାରାଦର ଓ ଖଲିଲ ହକ୍କାନିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡିଛି ।
ଏପରିକି କିଛିଦିନ ପୂର୍ବେ ଗୋଷ୍ଠୀ ସଂଘର୍ଷରେ ବାରାଦରଙ୍କ ମୃତ୍ୟୁ ଘଟିଛି ବୋଲି ସାମାଜିକ ଗଣମାଧ୍ୟରେ ଏକ ଗୁଜବ ପ୍ରସାରିତ ହୋଇଥିଲା । ବାରାଦର ଅବଶ୍ୟ ଏହାକୁ ଖଣ୍ଡନ କରିବା ସହ ଜୀବିତ ଓ ସୁସ୍ଥ ଅଛନ୍ତି ବୋଲି ନିକଟରେ ଜାରି କରିଥିବା ଅଡିଓ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ଏହି ଗୁଜବ ପଛରେ ହକ୍କାନି ଗୋଷ୍ଠୀର ହାତ ରହିଛି ବୋଲି ତାଲିବାନର କେତେକ ନେତା ଅଭିଯୋଗ କରୁଛନ୍ତି । ବାରାଦର ଓ ହକ୍କାନିଙ୍କ ମଧ୍ୟରେ ଜୋରସୋର ଯୁକ୍ତିତର୍କ ଚାଲିଥିବାବେଳେ ରାଷ୍ଟ୍ରପତି ଭବନ ବାହାରେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଛି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।
ଏହି ସୂଚନାକୁ କାତାରଠାରେ ଅବସ୍ଥାପିତ ତାଲିବାନ ସଂଗଠନର ଜଣେ ପ୍ରତିନିଧି ସ୍ୱୀକାର କରିଛନ୍ତି । ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କୁ ହଟାଇବାରେ କାହାର ଭୂମିକା ଅଧିକ ରହିଥିବା ପ୍ରସଙ୍ଗକୁ ନେଇ ବାରାଦର ଓ ହକ୍କାନିଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା କୁହାଯାଇଛି । ତାଲିବାନର ଏହି ବିଜୟ ପଛରେ କୂଟନୀତି ରହିଛି ବୋଲି ବାରାଦର ଦାବି କରୁଥିବାବେଳେ ହକ୍କାନି ଗୋଷ୍ଠୀ କହୁଛନ୍ତି ଯେ ତାଲିବାନ ଯୋଦ୍ଧାଙ୍କ ରଣନୀତି ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ନୂତନ ସରକାର ଗଠନ ହେବାପୂର୍ବରୁ କାହାକୁ ସାମିଲ କରାଯିବ, ସେଥିନେଇ ହକ୍କାନି ଗୋଷ୍ଠୀ ଏକ ତାଲିକା ପ୍ରସ୍ତୁତ କରିଥିଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବାରାଦର କାବୁଲ ଛାଡି କାନ୍ଦାହାର ଚାଲିଯାଇଛନ୍ତି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।