26.1 C
Bhubaneswar
Friday, May 23, 2025
Homeଦେଶ ବିଦେଶଉଗ୍ର ଚୀନକୁ ଜବାବ ଦେବାକୁ ତାଇୱାନର ଯୁଦ୍ଧ ପ୍ରସ୍ତୁତି

ଉଗ୍ର ଚୀନକୁ ଜବାବ ଦେବାକୁ ତାଇୱାନର ଯୁଦ୍ଧ ପ୍ରସ୍ତୁତି

ବ୍ୟୁରୋ : ଚୀନର ଆକ୍ରମଣ ଆଶଙ୍କାକୁ ଦେଖି ତାଇୱାନର ଯୁଦ୍ଧ ପ୍ରସ୍ତୁତି । ଖାସ୍ କରି ତାଇୱାନ୍ ଉପସାଗରରେ ଚୀନ୍ ଯୁଦ୍ଧ ଜାହାଜ ଅନୁପ୍ରବେଶ କରୁଥିବାରୁ ତାର ମୁକାବିଲା ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆମେରିକା ଯୋଗାଇ ଥିବା ଏଫ୍‌-୧୬ ଭାଇପର୍ ଜେଟରେ ଘାତକ ହାର୍ପୁନ କ୍ଷେପଣାସ୍ତ୍ର ଖଞ୍ଜି ଶତ୍ରୁକୁ ଅପେକ୍ଷା କରିଛନ୍ତି ତାଇୱାନ୍ ସୈନ୍ୟ । କ୍ଷୁଦ୍ର ହେଲେ ମଧ୍ୟ ମହାଶକ୍ତି ଚୀନର ମୁକାବିଲା କରିପାରିବେ ବୋଲି ମନରେ ଅସୀମ ଦମ୍ଭ । ତେଣେ ତାଇୱାନ୍ ଯୁଦ୍ଧ ଚାହେଁନି, ମାତ୍ର ଯୁଦ୍ଧ ଲଦି ଦିଆଗଲେ, ଦୃଢତାର ସହ ଜବାବ ଦେବ ବୋଲି କହିଛନ୍ତି ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ । ଚାରିପଟୁ ଘେରି ରହି ତାଇୱାନବାସୀଙ୍କ ମନରେ ଭୟ ସଂଚାର କରୁଛି ପିଏଲ୍‌ଏ । ଗତକାଲି ଚୀନର ସର୍ବବୃହତ ସମରାଭ୍ୟାସ ଶେଷ ହୋଇଥିଲେ ମଧ୍ୟ, ତାଇୱାନର ପୂର୍ବ ଦିଗରେ ଏବେବି ପିଏଲଏର ସାମରିକ କାର୍ଯ୍ୟକଳାପ ଜାରି ରହିଛି । ବାସ୍ତବ ଯୁଦ୍ଧ ହେଲେ ଦ୍ୱୀପରାଷ୍ଟ୍ର ତାଇୱାନ୍ ଉପରେ ଆକ୍ରମଣ ଶୈଳୀ ଯାହା ହେବ, ଠିକ୍ ସେଇ ଢଙ୍ଗରେ ସମରାଭ୍ୟାସ କରିଛି ଚୀନ୍ ସେନା ।

ଉଭୟ ଜଳ ଓ ଆକାଶ ମାର୍ଗରୁ ଆକ୍ରମଣ ଲାଗି ଯୋଜନା ପ୍ରସ୍ତୁତ କରିଛି ପିଏଲ୍‌ଏ । ଗତକାଲି ସମରାଭ୍ୟାସର ଶେଷ ଦିନରେ ୬୬ଟି ଚିନୀ ଫାଇଟର ଜେଟ୍ ଓ ୧୪ଟି ଯୁଦ୍ଧପୋତ ଦୁଇ ରାଷ୍ଟ୍ରକୁ ପୃଥକ କରୁଥିବା ଜଳରାଶି ତାଇୱାନ୍ ଷ୍ଟ୍ରେଟ୍ ମେରିଡିଆନ ନିକଟରେ ଦେଖିବାକୁ ମିଳିଥିଲା । ସେହିପରି ଚୀନି ଡ୍ରୋନ ଗୁଡିକୁ ମଧ୍ୟ ସମରାଭ୍ୟାସରେ ଭାଗ ନେଇଥିବା କହିଛି ତାଇୱାନ୍ ପ୍ରତିରକ୍ଷା ବିଭାଗ । ଏହାର ମୁକାବିଲା ଲାଗି ତାଇୱାନ୍ ମଧ୍ୟ ନିଜ ଯୁଦ୍ଧପୋତଗୁଡିକୁ ଜଳସୀମା ନିକଟରେ ସଜାଗ ରଖିଥିଲା । ଅନ୍ୟପକ୍ଷରେ କୋରିଆ ଓ ଚୀନ୍ ମଧ୍ୟସ୍ଥ ଜଳସୀମା ବା ୟେଲୋ ସିରେ ଆସନ୍ତା ୧୫ ଯାଏଁ ପିଏଲଏର ସମରାଭ୍ୟାସ ଜାରି ରହିବ । ତେବେ ସମରାଭ୍ୟାସ ପରେ ଚୀନର ପଦକ୍ଷେପ କଣ ହେବ ତାକୁ ନେଇ ବିଶ୍ୱବ୍ୟାପୀ ବଢିଛି ଉତ୍କଣ୍ଠା । ଚୀନକୁ ମୁହଁତୋଡ଼ ଜବାବ ଦେବା ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ତାଇୱାନ୍ ।

ଆମେରିକା ଯୋଗାଇ ଦେଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଗୁଡିକୁ କମ୍ବାଟ୍ ରେଡି ବା ଯୁଦ୍ଧ ଲାଗି ପ୍ରସ୍ତୁତି ରଖାଯାଇଛି । ବିଭିନ୍ନ ଯୁଦ୍ଧରେ ସଫଳତାର ସହ ବ୍ୟବହାର କରାଯାଇଥିବା ଏସବୁ ଅସ୍ତ୍ର ଚୀନ୍ ପିଏଲଏ ଶିବିରରେ ଆତଙ୍କ ଖେଳାଇବା ଲାଗି ଯଥେଷ୍ଟ । ତେଣୁ ଆକାର ଓ ପରାକ୍ରମ ଦୃଷ୍ଟିରୁ ସୀମିତ ସମ୍ବଳ ଥିଲେ ମଧ୍ୟ ଏସବୁ ଅସ୍ତ୍ରଶସ୍ତ୍ର ବଳରେ ଚୀନକୁ ପାନେ ଚଖାଇବା ଲାଗି ନିଜକୁ ମାନସିକସ୍ତରରେ ପ୍ରସ୍ତୁତ ରଖିଛି ତାଇୱାନ୍ ସେନା । ଶତ୍ରୁ ଶକ୍ତିର ମୁକାବିଲା ନକରି, ଦୁର୍ବଳତା ଖୋଜି ପ୍ରତି ଆକ୍ରମଣ ଅର୍ଥାତ୍ ତାଇୱାନ୍ ଚୀନ୍ ବିପକ୍ଷରେ ପର୍କୁପାଇନ୍ ରଣନୀତି ଆପଣେଇବ ବୋଲି କହିଛନ୍ତି ବିଶେଷଜ୍ଞ। ଏଥିଲାଗି ଜଳପଥ ଓ ଆକାଶ ମାର୍ଗରେ ବ୍ୟବହାର ଲାଗି ଉର୍ଦ୍ଦିଷ୍ଟ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି ଆମେରିକା ଯୋଗାଇ ଥିବା ଏଫ୍‌-୧୬ ଭାଇପର୍ । ଜେଟରେ ଘାତକ ହାର୍ପୁନ କ୍ଷେପଣାସ୍ତ୍ର ଖଞ୍ଜି ଶତ୍ରୁକୁ ଅପେକ୍ଷା କରିଛନ୍ତି ତାଇୱାନ୍ ସୈନ୍ୟ । ତାସହିତ ଅତ୍ୟାଧୁନିକ ଡ୍ରୋନକୁ ବି ପ୍ରସ୍ତୁତ ରଖାଯାଇଛି । ମୋବାଇଲ କୋଷ୍ଟାଲ ଡିଫେନ୍ସ କ୍ରୁଜ୍ ମିସାଇଲ ବ୍ୟବହାର କରି ଏହା ଚୀନର ବଡ଼ ବଡ଼ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି । ସେହିପରି ତାଇୱାନ୍ ନିକଟରେ ଆଖି ପିଛୁଳାକେ ଲୁଚି କରି ଆକ୍ରମଣ କରିପାରୁଥିବା କ୍ଷୁଦ୍ର କ୍ରାଫ୍ଟ ଓ ବୋଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking