ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ୧୮୯୩ରେ ଚିକାଗୋରେ ଦେଇଥିବା ଉଦବୋଧନରେ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଥିଲେ । ସେପ୍ଟେମ୍ବର ୧୧ରୁ ୨୭ ପର୍ଯ୍ୟନ୍ତ ସେଠାରେ ଆୟୋଜିତ ବିଶ୍ୱଧର୍ମୀୟ ସଭାରେ ତାଙ୍କ ମତ ରଖିଥିଲେ । ବିଦାୟୀ ଭାଷଣରେ ସେ ଅନେକ ଉପାଦେୟ କଥା ରଖିଥିଲେ । ଯାହାକୁ ନେଇ ବିଶ୍ୱରେ ବେଶ ଚର୍ଚ୍ଚା ହୋଇଥିଲା ।
ସେପ୍ଟେମ୍ବର ୨୭ ବିଦାୟୀ ଭାଷଣରେ ସ୍ୱାମୀଜୀ କହିଥିଲେ ବିଶ୍ୱଧର୍ମ ମହାସମ୍ମେଳନ ଏବେ ବାସ୍ତବରେ ରୂପାୟିତ ହୋଇଛି; ଏବଂ ଯେଉଁମାନେ ଏହି ମହାସଭାକୁ କାର୍ଯ୍ୟକାରୀ କରିବା ପାଇଁ ପରିଶ୍ରମ କରିଥିଲେ, କରୁଣାମୟ ଈଶ୍ୱର ସେମାନଙ୍କୁ ସହାୟତା କରିଛନ୍ତି ଓ ସେମାନଙ୍କର ନିଃସ୍ୱାର୍ଥ ପରିଶ୍ରମକୁ ସାଫଲ୍ୟମଣ୍ଡିତ କରିଛନ୍ତି ।
ଯେଉଁମାନଙ୍କର ପ୍ରଶସ୍ତ ହୃଦୟ ଏବଂ ସତ୍ୟାନୁରାଗ ସ୍ୱପ୍ନତୁଲ୍ୟ ଏହି ଆଶ୍ଚର୍ଯ୍ୟ ଘଟଣାକୁ ସର୍ବପ୍ରଥମେ କଳ୍ପନା କରିଛି ଓ ତାହାକୁ କାର୍ଯ୍ୟରେ ପରିଣତ କରିଛି, ମୁଁ ସେହି ମହାନୁଭବ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଉଛି । ଏହି ସଭାମଞ୍ଚରୁ ଯେଉଁ ସକଳ ଉଦାର ଭାବ ପରିବେଷିତ ହୋଇଛି, ସେଥିପାଇଁ ମୁଁ କୃତଜ୍ଞ । ଏହି ଶିକ୍ଷିତ ଶ୍ରୋତୃମଣ୍ଡଳୀ ମୋ ପ୍ରତି ସମଭାବରେ ଦୟା ପ୍ରକାଶ କରିଛନ୍ତି ଏବଂ ଯେଉଁ ଭାବଗୁଡ଼ିକ ଦ୍ୱାରା ବିଭିନ୍ନ ଧର୍ମସମୂହର ବିବାଦ ମନ୍ଦୀଭୂତ ହୁଏ, ତାହା ସେମାନେ ଉପଲବ୍ଧି କରିଛନ୍ତି ଓ ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ଏହି ସମତା ଓ ଶୃଙ୍ଖଳା ମଧ୍ୟରେ ବେଳେବେଳେ କିଛି ଶ୍ରୁତିକଟୁ ଧ୍ୱନି ଶୁଣାଯାଇଛି ଏବଂ ମୁଁ ଏଥିପାଇଁ ବିଶେଷ ଭାବରେ କୃତଜ୍ଞ; କାରଣ ଏହି ବୈଷମ୍ୟଦ୍ୱାରା ସେମାନେ ଆମମାନଙ୍କର ମନୋଯୋଗ ଆକର୍ଷଣ କରିଛନ୍ତି ଏବଂ ଆମମାନଙ୍କ ମଧ୍ୟରେ ଯେଉଁ ସ୍ୱାଭାବିକ ସାମଞ୍ଚସ୍ୟ ରହିଛି, ତାହାକୁ ମଧୁରତାର କରିବାରେ ସାହାଯ୍ୟ କରିଛନ୍ତି ।
ଧର୍ମସମନ୍ୱୟର ସାଧାରଣ ଭିତ୍ତିଭୂମି ସମ୍ବନ୍ଧରେ ଅନେକ କଥା କୁହାହୋଇଛି । ମୁଁ ବର୍ତ୍ତମାନ ଏ ବିଷୟରେ ମୋ ମତବାଦ ଉପସ୍ଥାପନ କରୁନାହିଁ, କିନ୍ତୁ ଯଦି ଏଠାରେ କେହି ଏଠାରେ କେହି ଆଶା କରନ୍ତି ଯେ, ଏକ ଐକ୍ୟ ପ୍ରଚଳିତ ବିଭିନ୍ନ ଧର୍ମଗୁଡ଼ିକ ମଧ୍ୟରୁ ଗୋଟିକର ଅଭ୍ୟୁଦୟ ଓ ଅପରଗୁଡ଼ିକର ବିନାଶଦ୍ୱାରା ସାଧିତ ହେବ, ତେବେ ତାଙ୍କୁ ମୁହଁ କହେ, “ଭାଇ! ଏହା ତୁମର ପୁରରାଣ ।’ ମୁଁ କଣ ଇଚ୍ଛା କରେ ଯେ, ଜଣେ ଖ୍ରୀଷ୍ଟିଆନ ହିନ୍ଦୁ ହେଉ? ଈଶ୍ୱର ତାହା ନ କରନ୍ତୁ । ମୋର କଣ ଇଚ୍ଛା ଯେ, କୌଣସି ହିନ୍ଦୁ ବା ବୌଦ୍ଧ ଖ୍ରୀଷ୍ଟିଆନ ହୁଅନ୍ତୁ? ଭଗବାନ ତାହା ନ କରନ୍ତୁ ।
ଗୋଟିଏ ବୀଜ ଭୂମିକା ପୋତା ହେଲା; ମୂତ୍ତିକା, ବାୟୁ ବା ଜଳରେ ପରିଣତ ହେବ? ନା, ବରଂ ସେହି ବୀଜରୁ ଗୋଟିଏ ଚାରାଗଛ ଉତ୍ପନ୍ନ ହେବ ଓ ଏହାକ୍ରମେ ନିଜର ସ୍ୱାଭାବିକ ନିୟମାନୁସାରେ ବର୍ଦ୍ଧିତ ହେବ ଏବଂ ମୃତ୍ତିକା, ବାୟୁ ଓ ଜଳର ସାରକୁ ଗ୍ରହଣ କରି ସେହି ସକଳ ଉପାଦନା ଦ୍ୱାରା ସ୍ୱୀୟ ଅଙ୍ଗପ୍ରତ୍ୟଙ୍ଗ ପରିବର୍ଦ୍ଧିତ କରି କ୍ରମେ ବୃକ୍ଷରେ ପରିଣତ ହେବ ।
ଧର୍ମ ସମ୍ବନ୍ଧରେ ମଧ୍ୟ ଏହି କଥା ସତ୍ୟ । ଖ୍ରୀଷ୍ଟିଆନଙ୍କୁ ହିନ୍ଦୁ ବା ବୌଦ୍ଧ ହେବାକୁ ପଡ଼ିବ ନାର୍ହିଁ; ଅଥବା ହିନ୍ଦୁ ଓ ବୌଦ୍ଧକୁ ଖ୍ରୀଷ୍ଟିଆନ ହେବାକୁ ପଡ଼ିବ ନାହିଁ । କିନ୍ତୁ ପ୍ରତ୍ୟେକ ଧର୍ମ ଅନ୍ୟାନ୍ୟ ଧର୍ମର ସାରଗୁଡ଼ିକୁ ଗ୍ରହଣ କରି ପୁଷ୍ଟି ଲାଭ କରିବ ଏବଂ ସ୍ୱୀୟ ବିଶେଷତ୍ୱ ବଜାୟ ରଖି ନିଜ ପ୍ରକୃତି ଅନୁସାରେ ବର୍ଦ୍ଧିତ ହେବ ।
ଯଦି ଏହି ଧର୍ମମହାସମିତି ଜଗତ ସମ୍ମୁଖରେ କିଛି ପ୍ରମାଣ କରିଥାଏ, ତେବେ ତାହା ଏହି ଯେ, ସାଧୁଚରିତ୍ର, ପବିତ୍ରତା ଓ ଦୟା ଦାକ୍ଷିଣ୍ୟ ଜଗତର କୌଣସି ଗୋଟିଏ ବିଶେଷ ଧର୍ମମଣ୍ଡଳୀର ନିଜସ୍ୱ ସମ୍ପତ୍ତି ନୁହେଁ ଏବଂ ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟରେ ଅତି ଉନ୍ମତ ଚରିତ୍ର ନରନାରୀ ଜନ୍ମଗ୍ରହଣ କରିଛନ୍ତି ।
ଏହି ସକଳ ପ୍ରତ୍ୟେକ୍ଷ ପ୍ରମାଣ ଥିବା କେବଳ ତାଙ୍କର ଧର୍ମ ହିଁ ବଞ୍ôଚ ରହିଛି ଯେ, ଅନ୍ୟାନ୍ୟ ଧର୍ମଗୁଡ଼ିକ ଲୋପ ପାଇବ ଓ କେବଳ ତାଙ୍କର ଧର୍ମ ହିଁ ବଞ୍ôଚ ରହିବ । ତେବେ ସେ ବାସ୍ତବିକ କୃପାର ପାତ୍ୟ, ତାଙ୍କ ପାଇଁ ମୁଁ ଆନ୍ତରିକ ଭାବରେ ଦୁଃଖିତ ଓ ତାଙ୍କୁ ମୁଁ ସ୍ପଷ୍ଟ ଭାଷାରେ କହୁଛି ଯେ ତାଙ୍କ ବାଧା ସତ୍ତ୍ୱେ ହିଁ ପ୍ରତ୍ୟେକ ଧର୍ମର ପତାକା ଉପରେ ଲିଖିତ ହେବ । ବିବାଦ ନୁହେଁ, ସହାୟତା, ବିନାଶ ନୁହେଁ, ପରସ୍ପରର ଭାବଗ୍ରହଣ, ମତବିରୋଧ ନୁହେଁ, ସମନ୍ୱୟ ଓ ଶାନ୍ତି ।