ଭଦ୍ରକ: ଚରିତ୍ରକୁ ସନ୍ଦେହ କରି ଶ୍ୱଶୁର ଘରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ରାତିରେ ମୁହଁରେ ତକିଆ ରଖି ଶ୍ୱାସରୁଦ୍ଧ କରିବା ପରେ ତଣ୍ଟି କାଟିଦେଲା ଅଭିଯୁକ୍ତ । ତେବେ ହତ୍ୟା ପରେ ଉଭୟଙ୍କ ଫଟୋକୁ ମୋବାଇଲରେ ଷ୍ଟାଟସ ରଖିବା ପରେ ଫେରାର ହୋଇଯାଇଥିଲା ।
ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ହଜାରି ସାହିରେ । ସୂଚନା ଅନୁଯାୟୀ, ହଜାରି ସାହିର ଲକ୍ଷ୍ମୀ ସିଂ ଆଗ୍ରାର ରବୀନ୍ଦ୍ର ସିଂଙ୍କୁ ବିବାହ କରିଥିଲେ । ଭାଇ ବାହାଘର ପାଇଁ ୨ ପୁଅଙ୍କୁ ନେଇ ଉଭୟ ସ୍ୱାମୀସ୍ତ୍ରୀ ଦିଲ୍ଲୀରୁ ଗାଁକୁ ଆସିଥିଲେ ।
ତେବେ ପରକୀୟା ସନ୍ଦେହରେ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା । ଗତକାଲି ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ରବୀନ୍ଦ୍ର ଲକ୍ଷ୍ମୀଙ୍କ ମୁହଁରେ ତକିଆ ଦେଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ଏତିକିରେ ମନ ବୁଝିଲା ନାହିଁ ଯେ ଛୁରିରେ ତଣ୍ଟି କାଟି ଦେଇଥିଲା । ପରେ ମୋବାଇଲରେ ଉଭୟଙ୍କ ଫଟୋକୁ ଷ୍ଟାଟସ ରଖି ଫେରାର ହୋଇଯାଇଥିଲେ ।
ସେପଟେ ଘରେ ଝିଅକୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ଆଗରପଡା ପୋଲିସକୁ ଖବର ଦେଇଥିଲେ ପରିବାର ଲୋକ । ପରେ ଖୋଜାଖୋଜି ପରେ ପାଖ ଗାଁ ଲୁଚିଥିବା ରବୀନ୍ଦ୍ର ସିଂକୁ ପୋଲିସ ଅଟକ ରଖିଛି ଓ ହତ୍ୟାରେ ବ୍ୟବହୃତ ଛୁରି ମଧ୍ୟ ଜବତ କରିଛି । ଘଟଣାସ୍ଥଳରେ ତଦନ୍ତ ପାଇଁ ଡଗ ସ୍କ୍ୱାର୍ଡ ସହ ଫରେନସିକ ଟିମ ଯାଉଥିବା ସୂଚନା ମିଳିଛି ।