31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶନିର୍ବାଚନୀ ବଣ୍ଡ ମାମଲାରେ ଏସ୍‌ବିଆଇକୁ ସୁପ୍ରିମ୍ ଝଟ୍‌କା

ନିର୍ବାଚନୀ ବଣ୍ଡ ମାମଲାରେ ଏସ୍‌ବିଆଇକୁ ସୁପ୍ରିମ୍ ଝଟ୍‌କା

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା, ଶେଷରେ ତାହା ହିଁ ହୋଇଛି । ନିର୍ବାଚନୀ ବଣ୍ଡ୍ ସମ୍ପର୍କୀତ ତଥ୍ୟ, ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାନଯିବା ମାମଲାରେ ସୋମବାର ସୁପ୍ରିମକୋର୍ଟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ)କୁ ତୀବ୍ର ଭର୍ତ୍ସନା କରିଛନ୍ତି । ଏଥିସହ ନିର୍ବାଚନୀ ବଣ୍ଡ୍ ସମ୍ପର୍କୀତ ସବିଶେଷ ତଥ୍ୟକୁ ନିର୍ବାଚନ କମିଶନରଙ୍କ ନିକଟରେ ଦାଖଲ କରିବା ପାଇଁ ଆଉ ୩ ମାସର ଅବଧି ପ୍ରଦାନ କରାଯିବା ପାଇଁ ଏସ୍‌ବିଆଇ ପକ୍ଷରୁ କରାଯାଇଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ଶୁଣାଣି ସମୟରେ ଏସ୍‌ବିଆଇ ଦର୍ଶାଇଥିଲା ଯେ, ନିର୍ବାଚନୀ ବଣ୍ଡ୍ ସମ୍ପର୍କୀତ ସମସ୍ତ ତଥ୍ୟ ମୁମ୍ବାଇ ସ୍ଥିତ ଏସ୍‌ବିଆଇର ମୁମ୍ବାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି । ଏହାଉପରେ ସୁପ୍ରିମକୋର୍ଟ କହିଥିଲେ ଯଦି ଏହା ସତ୍ୟ, ତେବେ ଏହାକୁ ୩ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାନଯିବା ଅତ୍ୟନ୍ତ ପରିତାପର ବିଷୟ । ଶୁଣାଣି କାଳରେ ସୁପ୍ରିମକୋର୍ଟ, ଏସ୍‌ବିଆଇକୁ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ଅଲ୍ଟିମେଟମ୍ ଦେଇଛନ୍ତି । ସେହିପରି ଆସନ୍ତା ୧୫ ତାରିଖ ସୁଦ୍ଧା ଏସମ୍ପର୍କୀତ ଡାଟାଗୁଡିକୁ ନିଜ ୱେବସାଇଟ୍‌ରେ ଉପଲବ୍ଧ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୫ଜଣିଆ ଖଣ୍ଡପୀଠ, ଗତ ୧୫ ଫେବ୍ରୁଆରୀରେ ଇଲେକ୍ଟୋରାଲ୍ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ବୋଲି ଅଭିହିତ କରିଥିଲେ । ଏଥିସହ ଏହି ଯୋଜନା ସୂଚନା ଅଧିକାର ଆଇନ୍ (ଆରଟିଆଇ)କୁ ମଧ୍ୟ ଉଲ୍ଲଂଘନ କରୁଥିବା ଦର୍ଶାଇ ଏହା ଉପରେ ରୋକ୍ ଲଗାଇଦେଇଥିଲେ । ଏହି ଅବସରରେ ସୁପ୍ରିମକୋର୍ଟ, ଏସ୍‌ବିଆଇକୁ ୧୨ ଏପ୍ରିଲ ୨୦୧୯ ପର ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳଙ୍କୁ ମିଳିଥିବା ନିର୍ବାଚନୀ ଚାନ୍ଦା ସମ୍ପର୍କରେ  ସବିଶେଷ ତଥ୍ୟ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଅର୍ଥାତ୍ ଶୁଣାଣିର ୩ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷେ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଏସବୁ ତଥ୍ୟକୁ  ୱେବସାଇଟ୍‌ରେ ଅପଲୋଡ୍ କରିବାକୁ ନିର୍ବାଚନ ଆୟୋଗକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୩ ସପ୍ତାହର ଅବଧି ପୂରା ହେବାର ଠିକ୍ ଦିନକ ପୂର୍ବରୁ ଅର୍ଥାତ୍ ମାଚ୍ଚ ୫ ତାରିଖରେ ଏସ୍‌ବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା ।

ଏଥିରେ ଏସ୍‌ବିଆଇ ଏହି ଅବଧିକୁ ଆଉ ୩ ମାସ ପାଇଁ ବଢ଼ାଇବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା । ଅର୍ଥାତ୍ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ସୂଚନାଗୁଡ଼ିକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ପାଇଁ ଏସ୍‌ବିଆଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଆସନ୍ତା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ସମୟ ମଗାଯାଇଥିଲା । ତେବେ ଏହାକୁ ନେଇ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିସର୍ଚ୍ଚ (ଏଡିଆର୍‌) ପକ୍ଷରୁ ଏସ୍‌ବିଆଇ ବିରୋଧରେ ଏକ ଅଦାଲତ ଅବମାନନା ଅଭିଯୋଗ ଆଧାରରେ ପିଟିସନ୍ ଫାଇଲ୍ କରାଯାଇଥିଲା । ଏଡିଆର ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍ ଏବଂ ଅଧିକ ମହଲତ୍ ମାଗି ଏସ୍‌ବିଆଇ ପକ୍ଷରୁ କରାଯାଇଥିବା ପିଟିସନ୍ ଉପରେ ଆଜି ପ୍ରଧାନବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୫ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking