ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରଣକ୍ରମେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ସମେତ ଅନ୍ୟ ବିଚାରପତିମାନେ ରବିବାର ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ (ପୂର୍ବନାମ ମୋଗଲ ଉଦ୍ୟାନ) ପରିଦର୍ଶନ କରିଛନ୍ତି । ସୁପ୍ରିମକୋର୍ଟ ବିଚାରପତିଙ୍କ ସହ ଉଠାଇଥିବା ଫଟୋକୁ ରାଷ୍ଟ୍ରପତି ଟ୍ୱିଟ୍ କରି ସେୟାର କରିଛନ୍ତି । ପୂର୍ବରୁ ଏହି ଉଦ୍ୟାନ ‘ମୋଗଲ ଉଦ୍ୟାନ’ ନାମରେ ପରିଚିତ ଥିଲା। ତେବେ ଚଳିତବର୍ଷ ଜାନୁଆରୀ ୨୯ରେ ଏହାର ନାମ ‘ଅମୃତ ଉଦ୍ୟାନ’କୁ ପରିବର୍ତ୍ତନ କରାଯାଇଥିବାବେଳେ ରାଷ୍ଟ୍ରପତି ଏହାକୁ ଉଦ୍ଘାଟନ କରିଥିଲେ । ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଏହି ଉଦ୍ୟାନର ନାମ ‘ଅମୃତ ଉଦ୍ୟାନ’ ରଖାଯାଇଛି ।
ଜାନୁଆରୀ ୩୧ରୁ ଏହି ଉଦ୍ୟାନ ସାଧାରଣ ଲୋକଙ୍କ ଦର୍ଶନାର୍ଥେ ଖୋଲାଯାଇଛି । ମାର୍ଚ୍ଚ ୨୬ ପର୍ଯ୍ୟନ୍ତ (ପ୍ରତ୍ୟେକ ସୋମବାର, ହୋଲି ଏବଂ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ଦିନ ବ୍ୟତୀତ) ଲୋକ ଏହି ଉଦ୍ୟାନ ବୁଲି ଦେଖିପାରିବେ । ମାର୍ଚ୍ଚ ୨୮ରେ କୃଷକଙ୍କ ପାଇଁ, ୨୯ରେ ଭିନ୍ନକ୍ଷମଙ୍କ ପାଇଁ, ୩୦ରେ ପୁଲିସ, ଅର୍ଦ୍ଧସାମରିକ ବାହିନୀ ଓ ସେନା ଯବାନଙ୍କ ପାଇଁ ଏବଂ ୩୧ରେ କେବଳ ମହିଳାଙ୍କ ପାଇଁ ଉଦ୍ୟାନ ବୁଲିବାକୁ ଅନୁମତି ପ୍ରଦାନ କରାଯିବ । ସାଧାରଣ ଦର୍ଶକଙ୍କ ପରିଦର୍ଶନ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ସପ୍ତାହର ପ୍ରଥମ ପାଞ୍ଚଦିନରେ ଦୈନିକ ୨୦ ହଜାର ଏବଂ ସପ୍ତାହନ୍ତ ଦୁଇଦିନରେ (ଶନିବାର ଓ ରବିବାର) ଦୈନିକ ୩୦ ହଜାର ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ରାଷ୍ଟ୍ରପତିଙ୍କ ଡେପୁଟୀ ପ୍ରେସ୍ ସଚିବ ସୂଚନା ଦେଇଛନ୍ତି ।