ନୂଆଦିଲ୍ଲୀ : ପଛୁଆ ଶ୍ରେଣୀ ପାଇଁ ୬୫ ପ୍ରତିଶତ ସଂରକ୍ଷଣ ମାମଲାରେ ବିହାର ସରକାରଙ୍କୁ ସୁପ୍ରିମକୋର୍ଟରୁ ଏକ ଶକ୍ତ ଝଟକା ମିଳିଛି । ବିଭାଗଗୁଡିକର ସଂରକ୍ଷଣକୁ ୫୦ ପ୍ରତିଶତରୁ ୬୫କୁ ବୃଦ୍ଧି କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାରେ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି । ଆସନ୍ତା ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାର ବିସ୍ତୃତ ଶୁଣାଣି କରିବେ । ବିହାର ସରକାର ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗଗୁଡିକ ପାଇଁ ସରକାରୀ ଚାକିରୀ ତଥା ଶିକ୍ଷାନୁଷ୍ଠାନଗୁଡିକରେ ସଂରକ୍ଷଣକୁ ୫୦ ପ୍ରତିଶତରୁ ୬୫କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ ପାଟନା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହାକୁ ଅସାମ୍ବିଧାନିକ ବୋଲି କହି ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଥିଲେ । ବିହାର ସରକାର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାୟମ ରଖିଛନ୍ତି । ସୁପ୍ରିମକୋର୍ଟ ବିହାର ସରକାରଙ୍କ ଶୁଣାଣି ପାଇଁ ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ସେପ୍ଟେମ୍ବରରେ ଏହା ଉପରେ ବିସ୍ତୃତ ଶୁଣାଣି ହେବ ବୋଲି ଜଣା ପଡ଼ିଛି ।