ସିମଳା : ସୁଖବିନ୍ଦର ସିଂହ ସୁଖୁ ହିମାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି । ଶନିବାର କଂଗ୍ରେସ ହାଇକମାଣ୍ଡ ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ୫୮ ବର୍ଷୀୟ ସୁଖବିନ୍ଦର ଚଳିତ ନିର୍ବାଚନରେ ହମିରପୁର ଜିଲ୍ଲା ଅନ୍ତର୍ଗତ ନାଦାଉଁ ଆସନରୁ କ୍ରମଗେତ ଚତୁର୍ଥ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଆଜ ୧୧ଟା ସମୟରେ ସେ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଅପରପକ୍ଷରେ ପାଞ୍ଚଥରର ବିଧାୟକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି । ସୁଖବିନ୍ଦରଙ୍କ ନାମ ଚୂଡାନ୍ତ ହେବାପରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ମନୋନୟନ ପ୍ରକ୍ରିୟାକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ପ୍ରତିଭା ସିଂହ ଶେଷରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଥିବାବେଳେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
ସୁଖବିନ୍ଦରଙ୍କ ପିତା ରାଜ୍ୟ ପରିବହନ ନିଗମର ଡ୍ରାଇଭର ଥିଲେ । ସୁଖବିନ୍ଦର ତାଙ୍କର ଆଦ୍ୟ ଜୀବନରେ ସିମଳାରେ ଏକ କ୍ଷୀର କାଉଣ୍ଟର ଚଳାଉଥିଲେ । ତେବେ ଛାତ୍ର ଜୀବନରେ ସେ କଂଗ୍ରେସରେ ଯୋଗଦେବା ସହିତ ଧୀରେ ଧିରେ ରାଜ୍ୟ ରାଜନୀତିରେ ନିଜର ସ୍ଥାନ ପକ୍କା କରିଥିଲେ । ବୀରଭଦ୍ରଙ୍କ ସହ ତୀବ୍ର ମତାନ୍ତର ସତ୍ତ୍ୱେ ସୁଖବିନ୍ଦର ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ବହନ କରିଥିଲେ । ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅତ୍ୟନ୍ତ ଭଲ ଥିବାରୁ ହାଇକମାଣ୍ଡ ତାଙ୍କୁ ଏଭଳି ଗୁରୁ ଦାୟିତ୍ୱ ଦେଇଥିବା କୁହାଯାଉଛି । ଏଥରକୁ ମିଶାଇ ସେ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ଗତ ଗୁରୁବାର ନିର୍ବାଚନ ଫଳାଫଳ ଘୋଷିତ ହୋଇଥିବାବେଳେ କଂଗ୍ରେସ ସର୍ବାଧିକ ୪୦ଟି ଆସନ ଅକ୍ତିଆର କରି ବିଜେପିକୁ କ୍ଷମତାଚ୍ୟୁତ କରିଥିଲା । ତେବେ ଦଳର ବିଜୟ ସୁନିଶ୍ଚିତ ହେବାପରେ ମୁଖ୍ୟମନ୍ତ୍ରୀ କିଏ ହେବେ, ସେହି ପ୍ରସଙ୍ଗ ନେଇ ହିମାଚଳ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଉଠିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ଏହି ଦୌଡର ସର୍ବାଗ୍ରେ ରହିଥିଲେ । ଶନିବାର ଅପରାହ୍ନ ପର୍ଯ୍ୟନ୍ତ ପ୍ରତିଭାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ ଶିବିର ଏକପ୍ରକାର ନିଶ୍ଚିତ ରହିଥିଲା । ତେବେ ସନ୍ଧ୍ୟାରେ ସୁଖବିନ୍ଦରଙ୍କ ନାମ ଉପରେ କଂଗ୍ରେସ ହାଇକମାଣ୍ଡ ମୋହର ମାରିବାପରେ ପ୍ରତିଭାଙ୍କ ସମର୍ଥକମାନେ ନିରାଶ ହେବାସହିତ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପ୍ରତିଭାଙ୍କ ସମର୍ଥକମାନେ ଏଠାକୁ ଆସିଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ରହୁଥିବା ହୋଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ ଶୁକ୍ରବାର ଏଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡାନ୍ତ ହୋଇପାରିନଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ମୁଖ୍ୟମନ୍ତ୍ରୀ ଦୌଡରେ ସର୍ବାଗ୍ରେ ରହିଥିଲେ । ବୀରଭଦ୍ରଙ୍କ ନାମରେ କଂଗ୍ରେସ ଏହି ନିର୍ବାଚନ ଲଢିଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ହକ୍ଦାର ବୋଲି ଦାବି କରିଥିଲେ । ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ଦୌଡରୁ ବାଦ ଦିଆଯାଏ, ତେବେ ଏହା ଦଳ ପ୍ରତି ବିପଦ ଆଣିବ ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ । ଅପରପକ୍ଷରେ ୪୦ ନବନିର୍ବାଚିତ କଂଗ୍ରେସ ବିଧାୟକଙ୍କ ମତାମତକୁ ଆଧାର କରି ହାଇକମାଣ୍ଡ ପ୍ରତିଭାଙ୍କ ପରିବର୍ତ୍ତେ ସୁଖବିନ୍ଦରଙ୍କୁ ମନୋନୀତ କରିଥିବା କୁହାଯାଇଛି । ନବନିର୍ବାଚତ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ପ୍ରତିଭାଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ସମର୍ଥନ କରୁନାହାନ୍ତି । ତେଣୁ ସେମାନେ ଚୂଡାନ୍ତ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡିଦେଇଥିଲେ ।