ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ କଟ୍ରିଛାପର ପଞ୍ଚାୟତ ଗୌଡ଼ଗୁଡା ଗ୍ରାମରେ ଗତକାଲି ରାତ୍ରରେ ଦୁଇ ପ୍ରେମୀ ଯୁଗଳ ବିଷପାନ କରି ଆତ୍ମହତ୍ୟା କରିଛନ୍ତି । ଗୌଡ଼ଗୁଡା ଗ୍ରାମର କାମସିଂ ଗୌଡ଼ଙ୍କ ଦ୍ୱିତୀୟ ପୁଅ ଇନ୍ଦ୍ର ଗୌଡ଼ (୧୯) ସେହି ଗ୍ରାମର ଜଣେ ନାବାଳିକାଙ୍କ ସହ ବହୁ ଦିନ ଧରି ପ୍ରେମ ସମ୍ପର୍କ ରଖିଥିଲେ । ଗତ ୧୫ ଦିନ ତଳେ ଦୁହେଁ ଫେରାର ହୋଇଯାଇଥିଲେ । କିଛି ଦିନ ପରେ ପୁଣି ଦୁହେଁ ଗୌଡ଼ଗୁଡା ଗ୍ରାମକୁ ଆସି ନିଜ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ । ପରେ ଗ୍ରାମରେ ଉଭୟ ପକ୍ଷର ଲୋକ ଓ ଗ୍ରାମର ଭଦ୍ର ଲୋକ ମିଶି ଏକ ବୈଠକ କରି ନାବାଳିକା ଝିଅର ବୟସ ହେବା ପରେ ଦୁହିଁଙ୍କ ବିବାହ କରିବା ପାଇଁ ସ୍ଥିର କରିଥିଲେ । ଉଭୟ ପୁଅ ଓ ଝିଅର ପରିବାର ସଦସ୍ୟ ମଧ୍ୟ ସହମତି ପ୍ରକାଶ କରିଥିଲେ । ବୈଠକର ନିଷ୍ପତ୍ତି ପରେ ଉଭୟ ପୁଅ ଘରେ ହସଖୁସିରେ ରହି ଆସୁଥିଲେ ।
ଗୌଡ଼ଗୁଡା ଗ୍ରାମରେ ଗତ କାଲି ପବିତ୍ର ଗୌଡ଼ଙ୍କ ଝିଅର ବାହାଘର କାର୍ଯ୍ୟକ୍ରମ ଚାଲିଥିଲା । ବାହାଘରରେ କାମସିଂ ଗୌଡ଼ଙ୍କ ପରିବାର ଯାଇଥିବାବେଳେ ଇନ୍ଦ୍ର ଏବଂ ନାବାଳିକା ଦୁହେଁ ମିଶି ରାତିରେ ଘରେ ରହିଥିଲେ । ଯେତେବେଳେ କାମସିଂଙ୍କ ପରିବାର ବିଳମ୍ବିତ ରାତ୍ରରେ ଘରେ ପହଞ୍ଚିବାବେଳକୁ ଦେଖିଲେ ଯେ ଇନ୍ଦ୍ର ବାନ୍ତି କରି ଅଚେତ ଅବସ୍ଥାରେ ପଡ଼ିରହିଛନ୍ତି । କିଛି ସମୟ ପରେ ନାବାଳିକା ମଧ୍ୟ ବାନ୍ତି କରି ଅଚେତ ଅବସ୍ଥାରେ ପଡ଼ିଥିଲେ । ପରିବାର ଲୋକେ ଏକ ଅଟୋରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପୂର୍ବରୁ ମୃତ୍ୟୁ ହୋଇଥିଲା । ଝରିଗାଁ ଥାନା ପୁଲିସ ଓ ମାଜିଷ୍ଟ୍ରେଟ ତଥା ଝରିଗାଁ ତହସିଲଦାର ହୃଷିକେଶ ଗଣ୍ଡଙ୍କ ଉପସ୍ଥିତରେ ଶବ ବ୍ୟବଚ୍ଛେଦ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ଦୁଇ ପ୍ରେମୀ ଯୁଗଳଙ୍କର ପରିବାର ସଦସ୍ୟଙ୍କ ସହମତିରେ ମିଳନ ସମ୍ଭବପର ହେବାକୁ ଯାଉଥିବାବେଳେ କେଉଁ ପରିସ୍ଥିତିରେ ଦୁହେଁ ବିଷପାନ କରି ଆତ୍ମହତ୍ୟା କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଝରିଗାଁ ପୁଲିସ ଦୁଇଟି ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଦୁଇପ୍ରେମୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଗୌଡ଼ଗୁଡା ଗ୍ରାମରେ ଦୁଃଖର ଛାୟା ଖେଳିଯାଇଛି ।