ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରର ଫରାସୀ ଦ୍ୱୀପ ନ୍ୟୁ କାଲେଡୋନିଆ ନିକଟରେ ସମୁଦ୍ରରେ ଏକ ଶକ୍ତିଶାଳୀ ୬.୬ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି । ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ(ୟୁଏସଜିଏସ) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ତଳେ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା । ୟୁଏସ ସୁନାମି ସତର୍କତା ପ୍ରଣାଳୀ କହିଛି ଯେ, ଭୂମିକମ୍ପ ଯୋଗୁଁ ହାୱାଇ, ଗୁଆମ, ଉତ୍ତର ମାରିଆନା ଦ୍ୱୀପପୁଞ୍ଜ କିମ୍ବା ଆମେରିକୀୟ ସାମୋଆ ପାଇଁ କୌଣସି ସୁନାମି ବିପଦ ନାହିଁ । ଶନିବାର ପୂର୍ବାହ୍ନ ୯ଟା ସମୟରେ ଭାରତର ଆସାମର ଗୋଲପାରାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩ ଥିଲା । ଏହାର ଗଭୀରତା ଭୂପୃଷ୍ଠର ୫ କିଲୋମିଟର ତଳେ ଥିଲା ।ନ୍ୟୁ କାଲିଡୋନିଆ ପ୍ରଶାନ୍ତ ମହାସାଗରର ଏପରି ଏକ ଅଞ୍ଚଳରେ ଅବସ୍ଥିତ ଯେଉଁଠାରେ ଭୂମିକମ୍ପ ସାଧାରଣତଃ ଘଟିଥାଏ । ଏହି ଅଞ୍ଚଳ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍ ଫାୟାର ନିକଟରେ ଅବସ୍ଥିତ। ଯେଉଁଠାରେ ଅନେକ ଟେକ୍ଟୋନିକ୍ ପ୍ଲେଟ୍ ଗତି କରିବା ଦ୍ୱାରା ବାରମ୍ବାର ଭୂମିକମ୍ପ ଏବଂ ଆଗ୍ନେୟଗିରି ଉଦଗିରଣ ଘଟିଥାଏ ।










